Categories: ଜାତୀୟ

ନାବାଳକ ଥାଇ ମଦ ଲାଇସେନ୍ସ ନେଇଥିଲେ

ମୁମ୍ବାଇ,୨୧।୨(ଆଇଏଏନ୍‌ଏସ୍‌): ମୁମ୍ବାଇର ବିବାଦୀୟ ପୂର୍ବତନ ଏନ୍‌ସିବି ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖ୍‌ଡେଙ୍କ ବିରୋଧରେ ମହାରାଷ୍ଟ୍ର ପୋଲିସ ଜାଲିଆତି ଅଭିଯୋଗରେ ଏତଲା ଦାଏର କରିଛି। ଓ୍ବାଙ୍ଖ୍‌ଡେ ମିଥ୍ୟା ତଥ୍ୟ ଦାଖଲ କରି ତାଙ୍କ ବାର୍‌ ପାଇଁ ମଦ ଲାଇସେନ୍ସ ନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ଠାଣେ ଜିଲାର କୋପ୍ରି ଥାନାରେ ଏତଲା ଦାଏର ହୋଇଥିବା ଜଣାପଡ଼ିଛି।
ନଭି ମୁମ୍ବାଇର ଭାସିଠାରେ ଥିବା ସଦ୍‌ଗୁରୁ ଫାମିଲି ରେଷ୍ଟୁରାଣ୍ଟ ଆଣ୍ଡ ବାର୍‌ର ମାଲିକ ହେଉଛନ୍ତି ଓ୍ବାଙ୍ଖ୍‌ଡେ। ଉକ୍ତ ବାର୍‌ରେ ମଦ ପରିବେଷଣ ପାଇଁ ସେ ୧୯୯୭ ଅକ୍ଟୋବର ୨୯ରେ ଲାଇସେନ୍ସ ପାଇଥିଲେ। ତେବେ ଲାଇସେନ୍ସ ପାଇଁ ଓ୍ବାଙ୍ଖ୍‌ଡେ ନିଜର ଭୁଲ୍‌ ଜନ୍ମ ତାରିଖ ଦେଇଥିଲେ। ମଦ ଲାଇସେନ୍ସ ପାଇବା ବେଳେ ତାଙ୍କ ବୟସ ୧୭ ବର୍ଷ ୧୧ ମାସ ହୋଇଥିଲା। ମଦ ଲାଇସେନ୍ସ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ହୋଇଥିବାବେଳେ ଜାଲିଆତି କରିଥିବାରୁ ଓ୍ବାଙ୍ଖ୍‌ଡେଙ୍କ ବିରୋଧରେ ଏତଲା ଦାଏର ହୋଇଛି। ତାଙ୍କ ବାର୍‌ ଲାଇସେନ୍ସ ମଧ୍ୟ ଖାରଜ ହୋଇଯାଇଛି। ଗତ ନଭେମ୍ବରରେ ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକ ଓ୍ବାଙ୍ଖ୍‌ଡେଙ୍କ ବିରୋଧରେ ଏହି ଜାଲିଆତି ଅଭିଯୋଗ ଆଣିଥିଲେ।
ଏନ୍‌ସିବିର ମୁମ୍ବାଇ ଜୋନାଲ ନିର୍ଦ୍ଦେଶକ ଥିବାବେଳେ ଗତବର୍ଷ କ୍ରୁଜ୍‌ ଜାହାଜରେ ଚଢ଼ାଉ କରି ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଅର୍ୟନ ଖାନ୍‌ ଓ ଅନ୍ୟମାନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ ସମୀର ଓ୍ବାଙ୍ଖ୍‌ଡେ। ଏହା ପରେ ତାଙ୍କ ବିରୋଧରେ ଏକାଧିକ ଅଭିଯୋଗ ଆସିଥିଲା। ତାଙ୍କ ବିରୋଧରେ ଆଇପିସିର ଧାରା ୧୮୧ (ଶପଥ ସମ୍ପର୍କରେ ଭୁଲ୍‌ ବିବୃତି), ୧୮୮ (ନିର୍ଦ୍ଦେଶନାମାର ଅବମାନନା), ୪୨୦ (ଠକେଇ ଓ ଅସାଧୁତା), ୪୬୫ (ଜାଲିଆତି), ୪୬୮ (ଠକେଇ ଉଦ୍ଦେଶ୍ୟରେ ଜାଲିଆତି) ଏବଂ ୪୮୧ (ଭୁଲ୍‌ ସମ୍ପତ୍ତି ଚିହ୍ନର ବ୍ୟବହାର)ରେ ମାମଲା ରୁଜୁ ହୋଇଛି। ସ୍ଥାନୀୟ ଅବକାରୀ ବିଭାଗର ତଦନ୍ତରୁ ଓ୍ବାଙ୍ଖ୍‌ଡେ ମଦ ଲାଇସେନ୍ସ ପାଇବା ସମୟରେ ତାଙ୍କୁ ୧୭ ବର୍ଷ ହୋଇଥିଲା ବୋଲି ଜଣାପଡ଼ିଛି।

Share