Categories: ଜାତୀୟ

ନାବାଳିକା ବଳାତ୍କାର ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ, କହିଲେ ବିଚାରପତି ରୋବୋ ଭଳି କାମ ନ କରନ୍ତୁ…

ନୂଆଦିଲ୍ଲୀ,୫।୯ : ଜଣେ ୧୦ ବର୍ଷର ବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଜଣେ ବିଚାରପତି ନିରପେକ୍ଷ ହେବା ଉଚିତ। ତଥାପି, ଏହାର ଅର୍ଥ ନୁହେଁ ସେ ଆଖି ବନ୍ଦ କରି ରୋବୋ ଭଳି କାର୍ଯ୍ୟ କରିବା ଜରୁରୀ। ଏହା ସହିତ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ପାଟନା ହାଇକୋର୍ଟକୁ ସମାଲୋଚନା କରିଛନ୍ତି।

ଜଷ୍ଟିସ ବି.ଆର ଗାଭାଇ, ଜଷ୍ଟିସ ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ସର୍ବୋଚ୍ଚ ଅଦାଲତର ବେଞ୍ଚ କହିଛନ୍ତି ସମଗ୍ର ତଦନ୍ତରେ ଗୁରୁତର ତ୍ରୁଟି ରହିଛି। କେବଳ ଏତିକି ନୁହେଁ, ଫୋରେନସିକ ଲ୍ୟାବ ରିପୋର୍ଟ ମଧ୍ୟ ନିଆଯାଇ ନ ଥିଲା। ବେଞ୍ଚ କହିଛନ୍ତି ଏତେ ଗୁରୁତର ମାମଲାରେ ଏଭଳି ବଡ ଭୁଲକୁ ସାଧାରଣ ବୋଲି କହିବା ଅତ୍ୟନ୍ତ ଦୁଃଖର ବିଷୟ। ଅନୁସନ୍ଧାନ ଅଧିକାରୀଙ୍କ ଦ୍ୱାରା କୌଣସି ଯୁକ୍ତିଯୁକ୍ତ ବ୍ୟାଖ୍ୟା ପ୍ରଦାନ କରାଯାଇ ନାହିଁ। କେବଳ ଏତିକି ନୁହେଁ, ଅନୁସନ୍ଧାନକାରୀ ଅଧିକାରୀ ମଧ୍ୟ ଅଭିଯୁକ୍ତଙ୍କୁ କୌଣସି ଡାକ୍ତରଙ୍କ ଦ୍ୱାରା ମେଡିକାଲରେ ପରୀକ୍ଷା କରି ନ ଥିଲେ। ଯାହାକି ବଳାତ୍କାର ମାମଲାରେ ଅତ୍ୟନ୍ତ ଜରୁରୀ।

ପାଟନା ହାଇକୋର୍ଟକୁ ସମାଲୋଚନା କରି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଏହା ଆଶ୍ଚର୍ଯ୍ୟଜନକ ଟ୍ରାଏଲ କୋର୍ଟ ଏବଂ ହାଇକୋର୍ଟ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କାରଣ ଘଟଣା ଦିନ ସେ ପୀଡିତାଙ୍କ ଘରକୁ ଆସି ତାଙ୍କୁ ନିଜ ଘରେ ଟେଲିଭିଜନ ଦେଖାଇବା ଲାଗି ପ୍ରଲୋଭିତ କରିଥିଲେ। ପୋଲିସ ମଧ୍ୟ ଠିକ ଭାବେ ଦତନ୍ତ କରି ନାହିଁ।

ସର୍ବୋଚ୍ଚ ଅଦାଲତର ବେଞ୍ଚ କହିଛନ୍ତି ନା ପ୍ରତିରକ୍ଷା ପରାମର୍ଶଦାତା, ନା ସରକାରୀ ଓକିଲ, ନା ଟ୍ରାଏଲ କୋର୍ଟର ପ୍ରିଜାଇଡିଂ ଅଫିସର ଏବଂ ଦୁର୍ଭାଗ୍ୟବଶତଃ ପରିକି ହାଇକୋର୍ଟ ମଧ୍ୟ ଏହି ଘଟଣାରେ ସତ୍ୟରେ ପହଞ୍ଚିବାକୁ ଚେଷ୍ଟା କରି ନାହାନ୍ତି। ଏଭଳି ମାମଲାରେ ଏଭଳି ତ୍ରୁଟି କାହିଁକି କରାଯାଇଛି ତାହା ବୁଝି ହେଉ ନାହିଁ।

ସର୍ବୋଚ୍ଚ ନ୍ୟାୟାଳୟ ମୃତ୍ୟୁଦଣ୍ଡର ଆଦେଶକୁ ରଦ୍ଦ କରିଥିବା ବେଳେ ଘଟଣାର ଗୁରୁତର ତ୍ରୁଟିକୁ ଦୃଷ୍ଟିରେ ରଖି ମାମଲା ପୁନଃବିଚାର ପାଇଁ ହାଇକୋର୍ଟକୁ ପଠାଇ ଦେଇଛନ୍ତି।

 

Share