Categories: ଖେଳ

ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌କୁ ଝଟ୍‌କା: ପାକିସ୍ତାନ ଗସ୍ତ ପୂର୍ବରୁ ଇସ୍ତଫା ଦେଲେ ଲାଙ୍ଗର

ମେଲବୋର୍ନ,୫।୨: ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଲାଙ୍ଗର। ସେ ଶନିବାର ହଠାତ୍‌ ଦଳର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତେବେ ତାଙ୍କ ସମୟରେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍‌ ଜିତିବା ସହ ଆଶେସ ସିରିଜ୍‌କୁ ୪-୦ରେ ନିଜ ନାମରେ କରିଥିଲା। ଏଭଳି ସଫଳତା ସତ୍ତ୍ୱେ ସେ କାହିଁକି ନିଜ ପଦ ଛାଡ଼ିଲେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଯାହା ସୂଚନା ରହିଛି ଲାଙ୍ଗରଙ୍କର କିଛି ଖେଳାଳି ଏବଂ ଅଷ୍ଟ୍ରେଲିଆ କ୍ରିକେଟର ଗଭର୍ନିଂ ବଡିଙ୍କ ସହ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା। ଏଥିଲାଗି ଶୁକ୍ରବାର ତାଙ୍କ ଭବିଷ୍ୟତକୁ ନେଇ ବୋର୍ଡ ବୈଠକ ଡାକିଥିଲା। ଏଥିରେ ମଧ୍ୟ କିଛି ଚୁଡ଼ାନ୍ତ ହୋଇପାରି ନ ଥିଲା। ଏହି କାରଣରୁ ଶନିବାର ମୁଖ୍ୟ କୋଚ୍‌ ପଦରୁ ସେ ଇସ୍ତଫା ଦେଇଛନ୍ତି। ମାର୍ଚ୍ଚରେ ଅଷ୍ଟ୍ରେଲିଆ ଟିମ୍‌ ପାକିସ୍ତାନ ଗସ୍ତ କରିବ। ୨୪ ବର୍ଷରେ ଦଳର ଏହା ପ୍ରଥମ ଗସ୍ତ। ଏଭଳି ସ୍ଥିତିରେ ଲାଙ୍ଗରଙ୍କ ଇସ୍ତଫା ଦଳ ପାଇଁ ଶୁଭଙ୍କର ନୁହେଁ। ତାଙ୍କ କାର୍ଯ୍ୟକାଳ ଜୁନ୍‌ରେ ସମାପ୍ତ ହୋଇଥାନ୍ତା। ହେଲେ ତା’ ପୂର୍ବରୁ ସେ ଇସ୍ତଫା ଦେଇ ଅଷ୍ଟ୍ରେଲିଆ ଟିମ୍‌ରେ ସବୁକିଛି ଠିକ୍‌ ଚାଲି ନ ଥିବା ସଙ୍କେତ ଦେଇଛନ୍ତି।

ପ୍ରକାଶ ଯେ, ୨୦୧୮ରେ ଲାଙ୍ଗର ଅଷ୍ଟ୍ରେଲିଆ ଟିମ୍‌ର ମୁଖ୍ୟ କୋଚ୍‌ ହୋଇଥିଲେ। ଏହି ସମୟରେ ଦଳର ଏକାଧିକ ଖେଳାଳି ବିଭିନ୍ନ ସମସ୍ୟାରେ ଫସିଥିଲେ। ଦଳର ପ୍ରଦର୍ଶନ ମଧ୍ୟ ସେତେଟା ଭଲ ନ ଥିଲା। ଏହାସତ୍ତ୍ୱେ ସେ ଦଳକୁ ସମ୍ଭାଳି ଆଗକୁ ନେଇଥିଲେ। ତାଙ୍କ ସମୟରେ ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍‌ ଆଇସିସି ର଼୍ୟାଙ୍କିଂର ପ୍ରଥମ ସ୍ଥାନରେ ପହଞ୍ଚିଛି।

Share