ଜଷ୍ଟିନ ବିବର ଅସୁସ୍ଥ, କାମ କରୁନାହିଁ ମୁହଁର ଗୋଟିଏ ଭାଗ

ଓଟାୱା,୧୧ ।୬: ଅସୁସ୍ଥ ହୋଇ ପଡିଛନ୍ତି କାନାଡାର ପପଷ୍ଟାର ଜଷ୍ଟିନ ବିବର । ଏକ ଭାଇରସ ଆକ୍ରାନ୍ତ କରିବା ଫଳରେ ତାଙ୍କ ମୁହଁର ଅଧାଭାଗ ପକ୍ଷାଘାତ ହୋଇଥିବା ସେ ନିଜେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ସେ ସୂଚନା ଦେଇଛନ୍ତି କି ତାଙ୍କ କାନରେ ଏକ ଭାଇରସ ନର୍ଭ ଗୁଡିକୁ ନଷ୍ଟ କରିଦେବା ପରେ ସେ ରାମସେ ହଣ୍ଟ ସିଣ୍ଡ୍ରୋମରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ତାଙ୍କ ମୁହଁର ଅଧାଭାଗ ପକ୍ଷାଘାତ ହୋଇଯାଇଛି । ଇନଷ୍ଟାଗ୍ରାମରେ ପପଷ୍ଟାର ଏକ ଭିଡିଓ ଶେୟାର କରି ସ୍ୱାସ୍ଥ ଦୃଷ୍ଟିରୁ ସେ ଗୁରୁତର ଥିବା କହିଛନ୍ତି ।
୨୮ ବର୍ଷିୟ ପପ ଗାୟକ ବିବର ନିକଟରେ ନର୍ଥ ଆମେରିକା ଗସ୍ତରେ ଯିବାର ଥିଲା । ସେ ତାଙ୍କର ଟରୋଣ୍ଟୋ, ୱାଶିଂଟନ ଡିସି ଓ ନ୍ୟୁୟର୍କରେ ଥିବା ପରଫରମାନ୍ସକୁ ବାତିଲ କରି ଦେଇଛନ୍ତି ।
ଏକ ଭିଡିଓ ଜାରି କରି ସେ କହିଛନ୍ତି, ମୋ କାନରେ ଏକ ଭାଇରସ ଆକ୍ରମଣ କରି ନର୍ଭ ଗୁଡିକୁ ନଷ୍ଟ କରିବା ପରେ ମୋ ମୁହଁରେ ପକ୍ଷାଘାତ ହୋଇଛି । ଭିଠିଓଟି ଦେଖାଇ ସେ କହିଛନ୍ତି, ଦେଖନ୍ତୁ ଏହି ଆଖିଟିର ପତା ଆଉ ବ୍ଲିଙ୍କ କରୁନି, ମୁଁ ହସି ପାରୁନି ଗୋଟିଏ ନାକରେ ନିଶ୍ୱାସ ନେଇ ପାରୁନି । ତେଣୁ ମୋ ମୁହଁର ଗୋଟିଏ ପଟ ସମ୍ପୂର୍ଣ୍ଣ ପକ୍ଷାଘାତର ଶିକାର ହୋଇଛି ବୋଲି ବିବର କହିଛନ୍ତି । ପ୍ରାୟ ୩ ମିନିଟର ଭିଡିଓରେ ବିବର ହସିବାକୁ, ଆଖି ପତା ପକାଇବାକୁ ମୁହଁର ମୁଭମେଣ୍ଟ କରିବାକୁ ଚେଷ୍ଟା କରୁଥିଲେ ବି ଏହା ସମ୍ଭବ ହୋଇ ପାରି ନାହିଁ । ତେଣୁ ସେ ଏଥିପାଇଁ ଫେସିଆଲ ଏକ୍ସରସାଇଜ କରୁଥିବା କହିଛନ୍ତି ।

Share