Categories: ଖେଳ

ପ୍ରଥମ ମ୍ୟାଚ ଭଳି ଶେଷ ମ୍ୟାଚରେ ଜିଟି-ସିଏସକେ ଲଢ଼େଇ…

ଅହମଦାବାଦ,୨୮।୫ : ଆଇପିଏଲ ୨୦୨୩ର ୧୬ ତମ ସିଜନର ପ୍ରଥମ ମ୍ୟାଚ ଅହମଦାବାଦରେ  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ(ଜିଟି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ର ମ୍ୟାଚରୁ ଆରମ୍ଭ ହୋଇଥିଲା। ସେହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୭ ୱିକେଟ ହରାଇ ୧୭୮ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଗୁଜରାଟ ୧୯.୨ ଓଭରରେ ପାଞ୍ଚ ୱିକେଟ ହରାଇ ୧୮୨ ରନ ସ୍କୋର କରି ମ୍ୟାଚ ଜିତିଥିଲା।

ବର୍ତ୍ତମାନ ଉଭୟ ଦଳ ମଧ୍ୟ ଫାଇନାଲରେ ପ୍ରବେଶ କରିଛନ୍ତି। ଏଭଳି ପରିସ୍ଥିତିରେ ପ୍ରତିଯୋଗିତା ଆକର୍ଷଣୀୟ ହେବ ବୋଲି ଆଶା କରାଯାଉଛି। ଫାଇନାଲ ମ୍ୟାଚ ରବିବାର ସନ୍ଧ୍ୟା ସାଢ଼େ ୭ଟାରେ ହେଉଛି। ଗୋଟିଏ ପଟେ ଚାମ୍ପିୟନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟାନ୍ସ ଏବଂ ଅନ୍ୟ ପଟେ ଚାରିଥର ଚାମ୍ପିୟନ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ରହିଛି।

ଏହି ସିଜିନରେ ଉଭୟ ଦଳ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଲିଗ ରାଉଣ୍ଡରେ ଏହି ଦୁଇ ଦଳ ପଏଣ୍ଟ ଟେବୁଲରେ ଶୀର୍ଷ ଦୁଇଟି ସ୍ଥାନ ଅଧିକାର କରିଥିଲେ। ଗୁଜରାଟ ୨୦ ପଏଣ୍ଟ ସହ ଟେବୁଲ ଶୀର୍ଷରେ ଥିବାବେଳେ ଚେନ୍ନାଇ ୧୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା।

ଚେନ୍ନାଇର ସମ୍ଭାବ୍ୟ ପ୍ଲେଇଙ୍ଗ ୧୧ରେ ଋତୁରାଜ ଗାଇକୱାଡ, ଡିଭନ କନୱେ, ଅଜିଙ୍କ୍ୟ ରାହାନେ, ଅମ୍ବାତି ରାୟୁଡୁ, ଶିବମ ଦୁବେ, ମୋଇନ ଅଲି, ରବିନ୍ଦ୍ର ଜାଡେଜା, ଏମ.ଏସ ଧୋନି (ଅଧିନାୟକ/ଓ୍ବିକେଟକିପର), ଦୀପକ ଚହର, ତୁଷାର ଦେଶପାଣ୍ଡେ, ମହେଶ ଥିକଶାନା ପ୍ରମୁଖ ଅଛନ୍ତି।

ସେହିପରି ଗୁଜରାଟର ସମ୍ଭାବ୍ୟ ପ୍ଲେଇଙ୍ଗ ୧୧ରେ ଶୁଭମାନ ଗିଲ, ରିଦ୍ଧିମାନ ସାହା(ଓ୍ବିକେଟକିପର), ଅଭିନଭ ମନୋହର, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ବିଜୟ ଶଙ୍କର, ଡେଭିଡ ମିଲର, ରାହୁଲ ତେୱାଟିଆ, ରସିଦ ଖାନ, ମୋହିତ ଶର୍ମା, ନୁର ଅହମ୍ମଦ, ମହମ୍ମଦ ଶାମି ପ୍ରମୁଖ ଅଛନ୍ତି।

Share