ନୂଆଦିଲ୍ଲୀ,୧୭।୬(ପି.ଟି.): ମଣିଷର ପ୍ରକୃତ ବୟସ ତୁଳନାରେ ତା’ ଶରୀରର ଭିତର ଅଙ୍ଗଗୁଡ଼ିକ ଭିନ୍ନ ଭିନ୍ନ ଗତିରେ ବୃଦ୍ଧ ହୋଇଥାନ୍ତି। ଏହି ଜୈବିକ ବୟସକୁ ମାପିବା ପାଇଁ ବୈଜ୍ଞାନିକମାନେ ଏବେ ଏକ ଅଭିନବ ରକ୍ତଭିତ୍ତିକ ସୂଚକାଙ୍କ ବା ଇଣ୍ଡିକେଟର ବିକଶିତ କରିଛନ୍ତି। ଏହି ପଦ୍ଧତି ଦ୍ୱାରା ଶରୀରର କୌଣସି ନିର୍ଦ୍ଦିଷ୍ଟ ଅଙ୍ଗର ବର୍ତ୍ତମାନର ବୟସ ଜାଣିବା ସହ ଆଗାମୀ ୧୦ ବର୍ଷ ମଧ୍ୟରେ ସେହି ଅଙ୍ଗରେ କେଉଁ ରୋଗ ହେବା ଆଶଙ୍କା ରହିଛି, ତାହା ପୂର୍ବାନୁମାନ କରାଯାଇପାରିବ।
ଆମେରିକାର ପ୍ରସିଦ୍ଧ ଷ୍ଟାନ୍ଫୋର୍ଡ ୟୁନିଭର୍ସିଟିର ଗବେଷକମାନଙ୍କୁ ନେଇ ଗଠିତ ଏକ ଅନ୍ତର୍ଜାତୀୟ ଦଳ ଶରୀରର ୧୧ଟି ପୃଥକ୍ ଅଙ୍ଗ ଓ ପ୍ରଣାଳୀ ଉପରେ ଏହି ଅଧ୍ୟୟନ କରିଛନ୍ତି। ଏଥିରେ ମସ୍ତିଷ୍କ, ମାଂସପେଶୀ, ହୃଦୟ (ହାର୍ଟ), ଫୁସ୍ଫୁସ୍, ଧମନୀ, ଯକୃତ (ଲିଭର), ବୃକ୍କ (କିଡ୍ନୀ), ଅଗ୍ନ୍ୟାଶୟ (ପାନ୍କ୍ରିଆଜ୍), ରୋଗ ପ୍ରତିରୋଧକ ଶକ୍ତି, ଅନ୍ତ୍ରନଳୀ ଏବଂ ଚର୍ବି (ଫ୍ୟାଟ୍) ସାମିଲ ରହିଛି। ବିଜ୍ଞାନ ପତ୍ରିକା ‘ନେଚର ମେଡିସିନ’ରେ ପ୍ରକାଶିତ ଏହି ଗବେଷଣାରୁ ଜଣାପଡ଼ିଛି ଯେ, ଶରୀରର ଅନ୍ୟ ଅଙ୍ଗ ତୁଳନାରେ ମସ୍ତିଷ୍କର ଜୈବିକ ବୟସ ମଣିଷର ଆୟୁଷ ନିର୍ଦ୍ଧାରଣ କରିବାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ଷ୍ଟାନ୍ଫୋର୍ଡ ୟୁନିଭର୍ସିଟି ସ୍କୁଲ ଅଫ୍ ମେଡିସିନ୍ର ସ୍ନାୟୁ ବିଜ୍ଞାନ ପ୍ରଫେସର ଟୋନି ୱାଇସ୍-କୋରେ କହିଛନ୍ତି, ‘ଆମେ ରକ୍ତରେ ଥିବା ପ୍ରୋଟିନ୍ ଆଧାରରେ ଏହି ସୂଚକାଙ୍କ ପ୍ରସ୍ତୁତ କରିଛୁ।’ ଏହି ଗବେଷଣା ପାଇଁ ‘ୟୁକେ ବାୟୋବ୍ୟାଙ୍କ’ରୁ ୪୦ରୁ ୭୦ ବର୍ଷ ବୟସର ପ୍ରାୟ ୪୫,୦୦୦ ଲୋକଙ୍କୁ ସାମିଲ କରାଯାଇ ୧୭ ବର୍ଷ ଧରି ସେମାନଙ୍କ ସ୍ବାସ୍ଥ୍ୟର ତଦାରଖ କରାଯାଇଥିଲା। ଗବେଷକମାନେ ଅତ୍ୟାଧୁନିକ ଲାବ୍ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ରକ୍ତ ପ୍ଲାଜ୍ମାରେ ପ୍ରବାହିତ ପ୍ରାୟ ୩,୦୦୦ ପ୍ରୋଟିନ୍ର ବୃହତ୍ ଆକଳନ କରିଥିଲେ। ଏଥିମଧ୍ୟରୁ ୧୫ ପ୍ରତିଶତ ପ୍ରୋଟିନ୍ ସିଧାସଳଖ କୌଣସି ଗୋଟିଏ ଅଙ୍ଗ ସହ ଜଡ଼ିତ ଥିବାବେଳେ ଅନ୍ୟଗୁଡ଼ିକ ଏକାଧିକ ଅଙ୍ଗରୁ ସୃଷ୍ଟି ହୋଇଥାନ୍ତି। ଏକ ସ୍ବତନ୍ତ୍ର କମ୍ପ୍ୟୁଟର ଆଲଗୋରିଦମ୍ ମାଧ୍ୟମରେ ପ୍ରତି ବ୍ୟକ୍ତିଙ୍କ ଅଙ୍ଗର ପ୍ରୋଟିନ୍ ଗଠନକୁ ସାଧାରଣ ବୟସ୍କଙ୍କ ହାରାହାରି ଗଠନ ସହ ତୁଳନା କରାଯାଇ ପ୍ରତି ଅଙ୍ଗକୁ ଏକ ଜୈବିକ ବୟସ ଦିଆଯାଇଥିଲା।
ଗବେଷଣାରୁ ପ୍ରକାଶ ଯେ, ଏକ-ତୃତୀୟାଂଶ ଲୋକଙ୍କ ଶରୀରରେ ଅତିକମ୍ରେ ଗୋଟିଏ ଅଙ୍ଗ ଅତ୍ୟଧିକ ବୃଦ୍ଧ କିମ୍ବା ଅତ୍ୟଧିକ ଯୁବକ (ସତେଜ) ରହିଥାଏ। ଯେଉଁମାନଙ୍କର ମସ୍ତିଷ୍କ ସାଧାରଣ ତୁଳନାରେ ଅଧିକ ବୃଦ୍ଧ ହୋଇଯାଇଥାଏ, ସେମାନଙ୍କ କ୍ଷେତ୍ରରେ ମତିଭ୍ରମ ବା ‘ଆଲଜାଇମର’ ରୋଗ ହେବାର ଆଶଙ୍କା ସାଧାରଣ ବ୍ୟକ୍ତିଙ୍କ ତୁଳନାରେ ୩.୧ ଗୁଣ ଅଧିକ ଥାଏ। ଆଗାମୀ ୧୫ ବର୍ଷ ମଧ୍ୟରେ ସେମାନଙ୍କ ମୃତ୍ୟୁ ଆଶଙ୍କା ପ୍ରାୟ ୧୮୨ ପ୍ରତିଶତ ବୃଦ୍ଧି ପାଇଥାଏ। ଅପରପକ୍ଷରେ ଯେଉଁମାନଙ୍କ ମସ୍ତିଷ୍କ ଜୈବିକ ଦୃଷ୍ଟିରୁ
ସତେଜ ବା ଯୁବକ ଥାଏ, ସେମାନଙ୍କ କ୍ଷେତ୍ରରେ ଆଲଜାଇମର ଆଶଙ୍କା ମାତ୍ର ୪ଭାଗରୁ ଭାଗେ ରହିଥାଏ ଏବଂ ମୃତ୍ୟୁ ଆଶଙ୍କା ୪୦ ପ୍ରତିଶତ କମିଯାଇଥାଏ। ମସ୍ତିଷ୍କ ହେଉଛି ଆୟୁଷର ଦ୍ୱାରପାଳ ବୋଲି ପ୍ରଫେସର ୱାଇସ୍-କୋରେ କହିଛନ୍ତି। ଆଗାମୀ ଦିନରେ ଏହି ରକ୍ତ ପରୀକ୍ଷା ପଦ୍ଧତି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବିପ୍ଳବ ଆଣିବ ଏବଂ ଅଙ୍ଗଗୁଡ଼ିକ ଅଚଳହେବା ପୂର୍ବରୁ ହିଁ ଚିକିତ୍ସା ଆରମ୍ଭ କରାଯାଇପାରିବ ବୋଲି ଆଶା କରାଯାଉଛି।