Categories: ଜାତୀୟ

ସିଜେଆଇଙ୍କ ନୂଆ ତାଲିକା ବ୍ୟବସ୍ଥାରେ ଖଣ୍ଡପୀଠ ଅସନ୍ତୁଷ୍ଟ

ନୂଆଦିଲ୍ଲୀ,୧୬।୯:ଦୀର୍ଘବର୍ଷ ଧରି ସୁପ୍ରିମକୋର୍ଟରେ ପଡ଼ିରହିଥିବା ହଜାର ହଜାର ମାମଲାର ତ୍ୱରିତ୍‌ ଫଇସଲା ଲାଗି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ. ଲଲିତ ମାମଲାଗୁଡ଼ିକର ଶୁଣାଣି ପାଇଁ ନୂଆ ତାଲିକାଭୁକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିବାବେଳେ ଏହାକୁ ନେଇ ଏକ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଛନ୍ତି। ସର୍ବୋଚ୍ଚ ଅଦାଲତର ତୃତୀୟ ସର୍ବବରିଷ୍ଠ ବିଚାରପତି ସଞ୍ଜୟ କିଷନ କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏକ ଆପରାଧିକ ମାମଲାରେ ରାୟ ପ୍ରଦାନ କଲାବେଳେ କହିଥିଲେ, ନୂଆ ତାଲିକା ବ୍ୟବସ୍ଥା ଯୋଗୁ ଅପରାହ୍ନରେ ଅନେକ ମାମଲା ଶୁଣାଣି ପାଇଁ ରହିଥିବାରୁ ସେଗୁଡ଼ିକୁ ପର୍ଯ୍ୟାପ୍ତ ସମୟ ଦିଆଯାଇପାରୁ ନାହିଁ। ନୂଆ ବ୍ୟବସ୍ଥାରେ ସୁପ୍ରିମକୋର୍ଟ ବିଚାରପତିମାନେ ଦୁଇଟି ଶିଫ୍ଟରେ କାର୍ଯ୍ୟ କରୁଛନ୍ତି। ପ୍ରତି ସୋମବାର ଓ ଶୁକ୍ରବାର ୩୦ ଜଣ ବିଚାରପତି ଏକାଠି ଦୁଇଜଣ ଲେଖାଏ ବସି ନୂଆ ପିଆଇଏଲ୍‌ ସମେତ ପ୍ରତି ବେଞ୍ଚ୍‌ର ୬୦ରୁ ଊର୍ଦ୍ଧ୍ୱ ମାମଲାର ବିଚାର କରୁଛନ୍ତି। ସେହିପରି ମଙ୍ଗଳବାର, ବୁଧବାର ଓ ଗୁରୁବାର ସକାଳ ଶିଫ୍ଟରେ ବିଚାରପତିମାନେ ୩ ଜଣ ଲେଖାଏ ବସି ବହୁବର୍ଷ ଧରି ପଡ଼ିରହିଥିବା ପୁରୁଣା ମାମଲାଗୁଡ଼ିକର ସବିଶେଷ ଶୁଣାଣି କରିବା ବ୍ୟବସ୍ଥା ହୋଇଛି। ଏହା ପରେ ଅପରାହ୍ନରେ ୨ ଜଣ ଲେଖାଏ ବିଚାରପତି ଗୋଟିଏ ବେଞ୍ଚ୍‌ରୁ ଅନ୍ୟ ବେଞ୍ଚ୍‌କୁ ସ୍ଥାନାନ୍ତର ହୋଇଥିବା ମାମଲା ଓ ନୂଆ ମାମଲାଗୁଡ଼ିକର ଶୁଣାଣି କରିବାକୁ କୁହାଯାଇଛି। ଗତମାସ ୨୭ରେ ଜଷ୍ଟିସ୍‌ ଲଲିତ ସିଜେଆଇ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନୂଆ ତାଲିକା ବ୍ୟବସ୍ଥା କାର୍ଯ୍ୟକାରୀ କରିବାରୁ ଇତିମଧ୍ୟରେ ମୋଟ ୫,୦୦୦ ମାମଲାର ଫଇସଲା ହୋଇପାରିଛି।

Share