Categories: ଖେଳ

ଜୁରିକ ଡାଇମଣ୍ଡ ଲିଗ୍‌: ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ

ନୂଆଦିଲ୍ଲୀ,୧ା୯: ଜୁରିକ ଡାଇମଣ୍ଡ ଲିଗରେ ଭାରତର ତାରକା ଜାଭେଲିନ ଥ୍ରୋ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ ସହ ସନ୍ତୁଷ୍ଟ ହେବାକୁ ପଡିଛି। ସେ ୮୫.୭୧ ମିଟରର ସର୍ବଶ୍ରେଷ୍ଠ ପ୍ରୟାସ ସହିତ ରୌପ୍ୟ ପଦକ ଜିତିଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ଜିତିଥିବା ନୀରଜ ମାତ୍ର କିଛି ସେଣ୍ଟିମିଟର ସ୍ବର୍ଣ୍ଣ ପଦକ ହରାଇଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଚ ଜିତିଥିବା ଚେକ ରିପବ୍ଲିକର ଜାକବ ଭଡଲେକ ୮୫.୮୬ ମିଟର ଶ୍ରେଷ୍ଠ ପ୍ରୟାସ ସହିତ ପ୍ରଥମ ସ୍ଥାନରେ ରହିଥିଲେ। ନୀରଜ ତାଙ୍କ ପଛରେ ୧୫ ସେଣ୍ଟିମିଟର ରହିଲେ। ଜୁରିକ ଡାଇମଣ୍ଡ ଲିଗର ଲମ୍ଫ ଜମ୍ପ ଇଭେଣ୍ଟରେ ଭାରତର ମୁରଲୀ ଶ୍ରୀଶଙ୍କର ପଞ୍ଚମ ସ୍ଥାନ ହାସଲ କରିଛନ୍ତି।
ବିଶ୍ୱ ଚାମ୍ପିଅନ ହେବାର ମାତ୍ର ଚାରି ଦିନ ପରେ ଷ୍ଟାର୍‌ ଜାଭେଲିନ ଥ୍ରୋଭର ନୀରଜ ଚୋପ୍ରା ଏହି ସିଜନରେ ନିଜର ବିଜୟ ଧାରା ବଜାୟ ରଖିବାର ଆହ୍ବାନର ସମ୍ମୁଖୀନ ହୋଇଥିଲେ। ଚଳିତ ସିଜନରେ ଏହା ନୀରଜଙ୍କ ପ୍ରଥମ ରୌପ୍ୟ। ଏହାପୂର୍ବରୁ ସେ ତିନୋଟି ପ୍ରତିଯୋଗିତାରେ କେବଳ ସ୍ବର୍ଣ୍ଣ ଜିତିଥିଲେ। ଗତ ୨୭ରେ ବୁଦାପେଷ୍ଟରେ ୮୮.୧୭ ମିଟର ଜାଭେଲିନ ଫିଙ୍ଗି ନୀରଜ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ ହୋଇଥିଲେ। ତେବେ ସେ ଜୁରିକରେ ସ୍ବର୍ଣ୍ଣ ଜିତିବାରେ ସଫଳ ହୋଇପାରିନଥିଲେ। ନୀରଜଙ୍କ ୬ଟି ପ୍ରୟାସ ମଧ୍ୟରୁ ୩ଟି ଖରାପ ଥିଲା।

Share