Categories: Home Leftଖେଳ

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ ପଡିକଲ ଶତକ ହାସଲ କରିଥିବା ବେଳେ ଦ୍ୱିତୀୟ ଦିନରେ ଧ୍ରୁବ ଜୁରେଲ ଅପରାଜିତ ଶତକ କରିଛନ୍ତି। ଫଳରେ ଭାରତ ପ୍ରଥମ ଇନିଂସରେ ୫୦୩/୯ ସ୍କୋରରେ ପାଳି ଘୋଷଣା କରିଛି। ଜବାବରେ ଶ୍ରୀଲଙ୍କା ଦ୍ୱିତୀୟ ଦିନ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ୨ ଉଇକେଟ ହରାଇ ୮ ରନ କରିଛି। ମ୍ୟାଚ୍‌ରେ ଆହୁରି ୩ ଦିନ ଥିଲା ବେଳେ ହାତରେ ୮ ଉଇକେଟ ରଖିଥିବା ଶ୍ରୀଲଙ୍କା ଭାରତର ସ୍କୋରଠାରୁ ୪୯୫ ରନ ପଛରେ ରହିଛି।

ଭାରତ ତା’ର ଅସମାପ୍ତ ପ୍ରଥମ ଇନିଂସ ସ୍କୋର (୩୦୦/୫)ରୁ ବ୍ୟାଟିଂ ଆରମ୍ଭ କରିଥିଲା। ଆରମ୍ଭରୁ ସାରାଂଶ ଜୈନ (୬) ଆଉଟ୍‌ ହୋଇଥିଲେ। ହେଲେ ପୂର୍ବଦିନ ଅପରାଜିତ ଥିବା ଜୁରେଲ, ପ୍ରଥମ ଦିନ ରିଷ୍ଟ ଇଞ୍ଜୁରି କାରଣରୁ ରିଟାୟର୍ଡ ହର୍ଟ ହୋଇଥିବା ପନ୍ତଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଦୁହେଁ ସପ୍ତମ ଉଇକେଟରେ ଶତକୀୟ ପାର୍ଟନରଶିପ କରିବା ସହ ବ୍ୟକ୍ତିଗତ ଅର୍ଦ୍ଧଶତକ ମଧ୍ୟ ପୂରଣ କରିଥିଲେ।

ଲଞ୍ଚ ପରେ ପ୍ରଥମ ବଲରେ ପନ୍ତ (୬୩ ରନ, ୬ ଚୌକା ଓ ୨ ଛକା) ଆଉଟ୍‌ ହୋଇଥିଲେ। କିନ୍ତୁ ଜୁରେଲ, ମାନବ ସୁଥର ଓ ମହମ୍ମଦ ସିରାଜଙ୍କ ଭଳି ଲୋୟର ଅର୍ଡର ବ୍ୟାଟରଙ୍କ ସହ ମିଶି ଦଳୀୟ ସ୍କୋରକୁ ୫୦୦ ଅତିକ୍ରମ କରାଇଥିଲେ। ଏଥିସହିତ ନିଜ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିଥିଲେ। ଉଭୟ ପାର୍ଟନରଶିପ୍‌ ମଧ୍ୟରେ ବର୍ଷା କାରଣରୁ ଖେଳ କିଛି ସମୟ ପାଇଁ ବନ୍ଦ ମଧ୍ୟ ହୋଇଥିଲା, ଯାହାକି ଜୁରେଲଙ୍କ ଶତକ ଓ ଭାରତୀୟ ଦଳର ଇନିଂସ ଘୋଷଣାରେ ବିଳମ୍ବ କରିଥିଲା। ଶେଷରେ ଭାରତୀୟ ଦଳ ୫୦୩/୯ ସ୍କୋରରେ ଇନିଂସ ଘୋଷଣା କରିଥିଲା। ଜୁରେଲ ୧୧୫ (୯ ଚୌକା ଓ ୨ ଛକା) ରନ କରି ଅପରାଜିତ ରହିଥିଲେ।

Share