ଅମରପଲି,୨୧ା୬(ପୀତାମ୍ବର ସାହୁ): ସାଧାରଣତଃ ଜୁନ୍ ମାସର ପ୍ରଥମ ସପ୍ତାହରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଏ। ଏହାସହ ଚାଷୀମାନେ ଜମି ହଳ କରି ଧାନ ବୁଣା ଓ ତଳି ପ୍ରସ୍ତୁତି କାର୍ଯ୍ୟରେ ବ୍ୟସ୍ତ ହୋଇପଡ଼ନ୍ତି। ମାତ୍ର ଚଳିତବର୍ଷ ଜୁନ୍ ସରିବାକୁ ବସିଥିବାବେଳେ ନା ଲଘୁଚାପଜନିତ ବର୍ଷା ହୋଇଛି, ନା ମୌସୁମୀ ବର୍ଷାର ସେଭଳି ପ୍ରଭାବ ଦେଖିବାକୁ ମିଳିଛି। ଫଳରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ ଚାଷ କାର୍ଯ୍ୟ ଗୁରୁତର ଭାବେ ବିଳମ୍ବିତ ହୋଇଥିବା ବେଳେ ଚାଷୀମାନଙ୍କ ମଧ୍ୟରେ ମରୁଡ଼ି ଆଶଙ୍କା ବଢ଼ିଛି। ବୀରମହାରାଜପୁର କୃଷି ପ୍ରଧାନ ଅଞ୍ଚଳ ହୋଇଥିବାବେଳେ ଏଠାରେ ପ୍ରାୟତଃ ଧାନଚାଷ ଉପରେ ଚାଷୀମାନେ ନିର୍ଭରଶୀଳ। ତେବେ ଅଞ୍ଚଳରେ ପର୍ଯ୍ୟାପ୍ତ ଜଳସେଚନ ବ୍ୟବସ୍ଥା ନ ଥିବାରୁ ଚାଷୀମାନେ ମୁଖ୍ୟତଃ ଲଘୁଚାପ ଓ ମୌସୁମୀ ବର୍ଷାକୁ ଭରସାକରି ଚାଷ କରିଥାନ୍ତି। ହରିହର ଯୋର ଉପରେ ନିର୍ମିତ ଠେଙ୍ଗୋ ଡ୍ୟାମ ମଧ୍ୟମ ଜଳସେଚନ ପ୍ରକଳ୍ପ ଥିଲେ ମଧ୍ୟ ଏହାର ସୁବିଧା ତହସିଲର ଅତି କମ୍ ଅଞ୍ଚଳକୁ ମିଳୁଛି। ବର୍ଷାର ଅଭାବ ଯୋଗୁ ଅଧିକାଂଶ ଜମିରେ ଏପର୍ଯ୍ୟନ୍ତ ହଳ ହୋଇ ନ ଥିବା ବେଳେ ଧାନ ତଳି ପ୍ରସ୍ତୁତି ମଧ୍ୟ ପ୍ରଭାବିତ ହୋଇଛି। ଚାଷ ଋତୁର ଗୁରୁତ୍ୱପୂର୍ଣ୍ଣ ସମୟ ଅତିକ୍ରମ ହେଉଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।
ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞମାନଙ୍କ ମତାନୁସାରେ, ଚଳିତବର୍ଷ ଏଲ୍ ନିନୋ ପ୍ରଭାବ ଯୋଗୁ ସ୍ବାଭାବିକ ତୁଳନାରେ କମ୍ ବର୍ଷା ହେବା ସମ୍ଭାବନା ରହିଛି। ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଅଞ୍ଚଳରେ ଜୁନ୍ରେ ସାଧାରଣତଃ ୧୫୦ରୁ ୨୦୦ ମିଲିମିଟର ବର୍ଷା ହେବା କଥା। କିନ୍ତୁ ଏ ପର୍ଯ୍ୟନ୍ତ ହୋଇ ନ ଥିବାରୁ ଚାଷ କାର୍ଯ୍ୟ ବିଳମ୍ବ ହେଉଛି। ୧୫୦ ମି.ମି.ରୁ ଅଧିକ ବର୍ଷା ହେଲେ ଧାନ ବୁଣା ଓ ତଳି ପ୍ରସ୍ତୁତି ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୁଏ।
ଜୁନ୍ ଶେଷ ସୁଦ୍ଧା ବର୍ଷାର ପରିମାଣ ବହୁ କମ୍ ରହିଲେ ଖରିଫ ଚାଷ ବିଳମ୍ବିତ ହୋଇଥାଏ। ଅମରପାଲି ଗ୍ରାମର ଚାଷୀ ବିମ୍ବାଧର ସାହୁ କହିଛନ୍ତି, ଚଳିତବର୍ଷ ବର୍ଷା ନ ହେବା ଯୋଗୁ ଚାଷ କାମ ଏଯାଏ ଆରମ୍ଭ ହୋଇପାରିନାହିଁ। ସେହିପରି ପିତାମହୁଲ ଗ୍ରାମର ଯୁବଚାଷୀ ଦିବ୍ୟଲୋଚନ ଗଡୁଆ ଚଳିତବର୍ଷର ବର୍ଷାକୁ ଦେଖି ମରୁଡ଼ି ଆଶଙ୍କା କରିଛନ୍ତି। ପାଣିପାଗ ବିଭାଗର ସୂଚନା ଅନୁସାରେ ଜୁନ୍ରେ ଏପର୍ଯ୍ୟନ୍ତ କେବଳ ୩ ଦିନ ବର୍ଷା ହୋଇଥିବା ରେକର୍ଡ ହୋଇଛି। କମ୍ ପରିମାଣର ବର୍ଷ ହୋଇଥିବାରୁ ଆଗାମୀ ଦିନରେ ମରୁଡ଼ି ପରିସ୍ଥିତି ଦେଖାଦେବା ନେଇ ଚାଷୀମାନଙ୍କ ମଧ୍ୟରେ ଆଶଙ୍କା ବଢ଼ିଛି। ଏଭଳି ପରିସ୍ଥିତିରେ ଚଳିତ ଖରିଫ ଋତୁ ପାଇଁ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ବିକଳ୍ପ ଫସଲ, ବିଳମ୍ବିତ ଚାଷ ପଦ୍ଧତି ଏବଂ ଜଳ ସଂରକ୍ଷଣ ସମ୍ପର୍କିତ ବିଶେଷ ପରାମର୍ଶ ପ୍ରଦାନ କରିବାକୁ ଦାବି ହେଉଛି। ଏଥିସହ ଆବଶ୍ୟକ ପଡ଼ିଲେ ସରକାରଙ୍କ ପକ୍ଷରୁ ମରୁଡ଼ି ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ନେବାକୁ ଚାଷୀମାନେ ଦାବି କରିଛନ୍ତି।