ବ୍ରାହ୍ମଣୀ ଆଁରେ ଜୁଣଗଡି, ପଞ୍ଚୁପଲ୍ଲୀ

ରାଜନଗର, ୧୫ା୩(ଭାସ୍କର ରାଉତରାୟ): ବ୍ରାହ୍ମଣୀ ନଦୀ ଏବେ କୂଳ ଖାଇବାରେ ଲାଗିଛି। ରାଜନଗର ବ୍ଲକର ଜୁଣଗଡି ଓ ପଞ୍ଚୁପଲ୍ଲୀ ନିକଟରେ ୫ ବର୍ଷ ଧରି ପାଟ୍ଟଶାଳା ନଦୀ ପଠା ଖାଇ ରାଜନଗର-ତାଳଚୁଆ ମୁଖ୍ୟ ରାସ୍ତାକୁ ଗିଳିବା ଆରମ୍ଭ କରିଥିଲା। ଏବେ ସେହି ଗାଁର ଅପରପାର୍ଶ୍ୱରେ ଥିବା ବ୍ରାହ୍ମଣୀ ନଦୀ ଏବେ ପଠା ଖାଇ ଗାଁ ଭିତରକୁ ମାଡ଼ି ଆସିଲାଣି। ବୁଧବାର ରାତିରେ ପ୍ରାୟ ୧୦୦ଫୁଟ ଓସାରର ଓ ୩୦ଫୁଟ ଚଉଡ଼ାର ପଠାକୁ ବ୍ରାହ୍ମଣୀ ନଦୀ ତା’ର ଗର୍ଭକୁ ନେଇଯିବା ପରେ ସମ୍ପୂର୍ଣ୍ଣ ଗାଁ ନଦୀଗର୍ଭକୁ ଚାଲିଯିବାର ଆଶଙ୍କା ସୃଷ୍ଟି ହୋଇଛି।
ରାଜନଗର ବ୍ଲକ ଘଡ଼ିଆମାଳ ପଞ୍ଚାୟତର ପଞ୍ଚୁପଲ୍ଲୀ ଓ ଜୁଣଗଡି ଗାଁର ଦୁଇପାର୍ଶ୍ୱରେ ୨ଟି ନଦୀ ବହି ଯାଇଛି। ଗାଁର ଗୋଟିଏ ପାର୍ଶ୍ୱରେ ବ୍ରାହ୍ମଣୀ ନଦୀ ବୋହି ଯାଇଥିବା ବେଳେ ଅନ୍ୟପାର୍ଶ୍ୱରେ ପାଟ୍ଟଶାଳା ନଦୀ ରହିଛି। ଗାଁର ପଛପଟେ ଥିବା ବ୍ରାହ୍ମଣୀ ନଦୀ ଦୀର୍ଘବର୍ଷ ତଳେ ଥିବା ବନ୍ଧକୁ ଗର୍ଭସ୍ଥ କରିବା ପରେ ୩ବର୍ଷ ତଳେ ପଞ୍ଚୁପଲ୍ଲୀରୁ ପଦ୍ମନାଭପୁରଯାଏ ନୂଆ ବନ୍ଧ ନିର୍ମାଣ ହୋଇଛି। ଏହି ବନ୍ଧର ପଦ୍ମନାଭପୁର ନିକଟରେ କିଛି ଅଂଶ ପଥର ପ୍ୟାକିଂ ହୋଇଥିବା ବେଳେ ଅନ୍ୟ ଅଂଶ ଏଯାଏ କରାଯାଇନାହିଁ। ବୁଧବାର ରାତିରେ ଜୁଣଗଡି ଗାଁର ସଦାନନ୍ଦ ବାରିକ, ମହେଶ୍ୱର ବାରିକ, ଶୁକଦେବ ନାୟକଙ୍କ ଘର ନିକଟରେ ବ୍ରାହ୍ମଣୀ ନଦୀ ପଠାକୁ ଧସେଇ ନେଇଛି। ପ୍ରାୟ ଶହେ ଫୁଟ ଲମ୍ବ ଓ ୩୦ ଫୁଟ ଚଉଡ଼ାର ପଠା ନଦୀଗର୍ଭକୁ ଚାଲିଯିବା ଯୋଗୁଁ ଗାଁ ଭିତରକୁ ନଦୀ ଚାଲି ଆସିଛି। ପରିସ୍ଥିତି ଏପରି ହୋଇଛି ଯଦି ଏହି ପ୍ରକ୍ରିୟା ଜାରି ରହେ, ୩ ବର୍ଷ ତଳେ ନିର୍ମାଣ ହୋଇଥିବା ନୂଆ ଘେରିବନ୍ଧ ମଧ୍ୟ ଭାସିଯିବାର ସମ୍ଭାବନା ରହିଛି। ନୂଆ ଘେରିବନ୍ଧଠାରୁ ନଦୀର ଦୂରତା ମାତ୍ର ୧୦ ଫୁଟ ରହିଛି। ଗୁରୁବାର ସକାଳେ ଗାଁ ଭିତରକୁ ନଦୀ ଚାଲି ଆସିଥିବା ଦେଖି ଅଞ୍ଚଳବାସୀଙ୍କ ମଧ୍ୟରେ ଛନକା ସୃଷ୍ଟି ହୋଇଛି। ଯୁଦ୍ଧକାଳୀନ ଭିତ୍ତିରେ ଏ ନେଇ ପଦକ୍ଷେପ ନିଆ ନ ଗଲେ ଜୁଣଗଡ଼ି ଓ ପଞ୍ଚୁପଲ୍ଲୀ ଗାଁ ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତୁରନ୍ତ ଏ ନେଇ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।