ଜୁନାଗଡ଼ କଳାହାଣ୍ଡି ଉତ୍ସବ: ଶୀତୁଆ ସନ୍ଧ୍ୟାରେ ଜମୁଛି ସାଂସ୍କୃତିକ କାର୍ଯ୍ୟକ୍ରମ

ଭବାନୀପାଟଣା,୮।୧(ସ୍ବ.ପ୍ର.): ଜୁନାଗଡ଼ କଳାହାଣ୍ଡି ଉତ୍ସବର ପ୍ରଥମ ସନ୍ଧ୍ୟାରେ ଦର୍ଶକଙ୍କୁ ମତୁଆଲା କରିଥିଲେ ସମ୍ବଲପୁରୀ ଲୋକପ୍ରିୟ ଗାୟକ ରୁକୁ ସୁନା। ଗୀତର ତାଳେ ତାଳେ ଝୁମି ଉଠିଥିଲେ ଦର୍ଶକ। ପ୍ରଥମ ଗୀତ ଲଚକି ମଣି ଜୁରା ବେଣୀ…, ଆଲୋ ମୋର ରିବନ ଫିତା… ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ଭରି ଦେଇଥିଲା। ତାଳିମାଡ଼ରେ କମ୍ପି ଉଠିଥିଲା ଲଙ୍କେଶ୍ୱରୀ ମଞ୍ଚ। ରୁକୁ ଗୋଟିଏ ପରେ ଗୋଟିଏ ଗୀତ ଦର୍ଶକଙ୍କୁ ଭେଟି ଦେଇଥିଲେ। ପ୍ରାୟ ୨ଘଣ୍ଟା ରୁକୁଙ୍କ ଗୀତକୁ ଉପଭୋଗ କରିଥିଲେ ଦର୍ଶକ।
ଉପସ୍ଥିତ ଥିବା ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଲୋକଙ୍କୁ ଉତ୍ସାହିତ କରିବାକୁ ଯାଇ ଗୀତ ଗାଇଥିଲେ। ଏହାପୂର୍ବରୁ ସ୍ଥାନୀୟ କଳାକାରଙ୍କ ଦ୍ବାରା ଓଡ଼ିଶୀ, ଘୁମୁରା, ବଜାଶାଲ, ବନାବାଡ଼ି ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା, ଯାହାକି ବେଶ୍‌ ଚିତ୍ତାକର୍ଷକ ହୋଇଥିଲା। କାର୍ଯ୍ୟକ୍ରମକୁ ବିନୟ ସାହୁ, ସ୍ମିତାରାଣୀ ସାହୁ ପରିଚାଳନା କରିଥିଲେ।
ଅତିଥି ଭାବେ କଳାହାଣ୍ଡି ଜିଲାପାଳ ପି. ଅନ୍ବେଷା ରେଡ୍ଡୀ, ପିଡି ପାୱାର ସଚିନ ପ୍ରକାଶ, ଧର୍ମଗଡ଼ ଉପଜିଲାପାଳ ବେଦ ଭୂଷଣ, ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ବିଡିଓ ଦୁଲାରାମ ମାରାଣ୍ଡି, ତହସିଲଦାର ବେଦବ୍ୟାସ ଭୋଇ, ବ୍ଲକ ଅଧ୍ୟକ୍ଷା ସବିତା ମେହେର, ଜିଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର, କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର ପ୍ରମୁଖ ଯୋଗଦେଇଥିଲେ।