ଫେରାର ହେବାକୁଯାଇ ପୋଖରୀକୁ ଡେଇଁପଡ଼ିଲେ

ଢେଙ୍କାନାଳ ଅଫିସ, ୧୬।୭: ରାତିଅଧିଆ ଦୋକାନ ତାଲା ଭାଙ୍ଗି ଚୋରି କରୁଥିବାବେଳେ ମାଡ଼ିବସିଲା ପୋଲିସ। ପୋଲିସ କବ୍‌ଜାରୁ ଖସିଯିବାକୁ ଉଦ୍ୟମ କରି ଜଣେ ଅଭିଯୁକ୍ତ ଡେଇଁପଡ଼ିଲେ ପୋଖରୀକୁ। ହେଲେ ପୋଖରୀ ଭିତରେ ପଶି ପୋଲିସ କର୍ମଚାରୀମାନେ ତାଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି। ଏପରି ଏକ ଘଟଣା ଘଟିଛି ଢେଙ୍କାନାଳ ଟାଉନ ଥାନା ଇଲାକାରେ। ଚୋରି ଘଟଣାରେ ମିନାବଜାର ଅଞ୍ଚଳର ରାଜେନ୍ଦ୍ର ବରାଳ (୨୫), ପୂର୍ତ୍ତ ବିଭାଗ କଲୋନୀ ଅଞ୍ଚଳର କମଳ ନାୟକ (୩୨) ଏବଂ ଲକ୍ଷ୍ମୀବଜାର ଅଞ୍ଚଳର ଅଶୋକ ନାୟକ ଗିରଫ ହୋଇଛନ୍ତି। କମଳ ହେଉଛନ୍ତି ପୂର୍ତ୍ତ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀ। ଏ ସଂକ୍ରାନ୍ତରେ ନଂ. ୨୯୩/୨୦, ଦଫା ୪୬୧, ୩୭୯ ଓ ୩୪ରେ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ନମିତା ନାୟକ ସୂଚନା ଦେଇଛନ୍ତି।
ନୂଆପୋଖରୀ ନିକଟରେ ଥିବା ଅଶୋକ କୁମାର ନାୟକଙ୍କ ତେଜରାତି ଦୋକାନରୁ ମଙ୍ଗଳବାର ବିଳମ୍ବିତ ରାତିରେ ସମ୍ପୃକ୍ତ ୩ଜଣ ଚୋରି କରୁଥିଲେ। ଜଣେ ତାଲାଭାଙ୍ଗି ଦୋକାନ ଭିତରେ ପଶିଥିବାବେଳେ ଅନ୍ୟ ୨ଜଣ ବାଇକ୍‌ ଧରି ବାହାରେ ଛିଡ଼ା ହୋଇଥିଲେ। ସନ୍ଦେହ ହେବାରୁ ପାଟ୍ରୋଲିଂ କରୁଥିବା କନଷ୍ଟେବଳ ପହଞ୍ଚତ୍ ଛାନଭିନ୍‌ କରିବା ପରେ ଘଟଣା ଜଣାପଡ଼ିଥିଲା। ଦୋକାନୀଙ୍କ ସହାୟତାରେ ଦୋକାନ ଭିତରେ ପଶିଥିବା ଅଭିଯୁକ୍ତଙ୍କୁ ପୋଲିସ ଧରିଥିଲା। ଏହି ସମୟରେ ଖସି ପଳାଉଥିବା ବେଳେ ନୂଆପୋଖରୀ ଭିତରକୁ ଜଣେ ଅଭିଯୁକ୍ତ ଖସି ପଡ଼ିଥିଲେ। ପୋଲିସ କୌଶଳକ୍ରମେ ତାଙ୍କୁ କାବୁ କରିଥିଲା।