ଓ୍ବିକିଲିକ୍ସର ସହ-ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ୫୦ ସପ୍ତାହ ଜେଲ

ଲଣ୍ଡନ,୧।୫: ଓ୍ବିକିଲିକ୍ସର ସହ-ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ଲଣ୍ଡନର ଏକ କୋର୍ଟ ୫୦ ସପ୍ତାହ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ୭ ବର୍ଷ ତଳେ ଅର୍ଥାତ ୨୦୧୨ରେ ଏକ ଜାମିନ ସର୍ତ୍ତାବଳୀକୁ ଉଲ୍ଲଙ୍ଘନ କରି ଇକ୍ୱେଡର ଦୂତାବାସରେ ପ୍ରବେଶ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଏହି ଦଣ୍ଡ ପ୍ରଦାନ କରାଯାଇଛି। ଅପରପକ୍ଷରେ ଆସେଞ୍ଜ ମଧ୍ୟ ଏଥିପାଇଁ କ୍ଷମାପ୍ରାର୍ଥନା କରିଛନ୍ତି। ଗୁରୁବାର ତାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି। ତାଙ୍କୁ ଆମେରିକା ଦୁର୍ନୀତି ଅଭିଯୋଗରେ ପଚରାଉଚରା କରିବାକୁ ଚାହୁଁଛି। ଗତ ମାସ ୧୧ତାରିଖରେ ତାଙ୍କୁ ବ୍ରିିଟିଶ ପୋଲିସ ଲଣ୍ଡନସ୍ଥିତ ଇକ୍ୱେଡର ଦୂତାବାସରୁ ଗିରଫ କରିଥିଲା। ୨୦୧୨ରୁ ସେ ଉକ୍ତ ଦୂତାବାସରେ ରହୁଥିଲେ। ତେବେ ଇକ୍ୱେଡର ତାଙ୍କୁ ଦେଇଥିବା ଆଶ୍ରୟ ପ୍ରତ୍ୟାହାର କରିବାରୁ ଓ୍ବିିକିଲିକ୍ସଙ୍କୁ ପୋଲିସ ଗିରଫ କରିଥିଲା। ଇକ୍ୱେଡରର ରାଷ୍ଟ୍ରପତି ଲେନିନ ମୋରେନୋ କହିଛନ୍ତି ଯେ, ଆସେଞ୍ଜ ବାରମ୍ବାର ଅନ୍ତର୍ଜାତୀୟ ନିୟମାବଳୀର ଉଲ୍ଲଙ୍ଘନ କରିବାରୁ ତାଙ୍କୁ ଦିଆଯାଇଥିବା କୂଟନୈତିକ ଆଶ୍ରୟ ପ୍ରତ୍ୟାହାର କରାଯାଇଛି। ପୂର୍ବରୁ ସ୍ବିଡେନରେ ତାଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାକୁ ନେଇ ଏକ ଓ୍ବାରେଣ୍ଟ ଜାରି କରାଯାଇଥିଲା। କିନ୍ତୁ ପରେ ଏହି ମାମଲା ପ୍ରତ୍ୟାହାର ହୋଇଥିଲା ।

Share