ପୋଷ୍ଟକାର୍ଡରେ ସ୍ଥାନିତ ହେଲା ଜଉକଣ୍ଢେଇ

ବାଲେଶ୍ୱର ଅଫିସ, ୧।୧୨-ବାଲେଶ୍ୱରର କଳା ସଂସ୍କୃତିର ପ୍ରତୀକ ଭାବେ ପରିଚିତ ଜଉକଣ୍ଢେଇକୁ ବିଶ୍ୱ ପୋଷ୍ଟକାର୍ଡ ଦିବସ ଅବସରରେ ପୋଷ୍ଟକାର୍ଡରେ ସ୍ଥାନିତ କରାଯାଇଛି। ଏନେଇ ଚିଫ୍‌ ପୋଷ୍ଟମାଷ୍ଟର ଜେନେରାଲ ଜଲେଶ୍ୱର କନହାର ସୂଚନା ଦେବା ପରେ ବାଲେଶ୍ୱର ଅଞ୍ଚଳର କଳାପ୍ରେମୀଙ୍କ ମନରେ ଖୁସିର ଲହରି ଖେଳିଯାଇଛି।
ବାଲେଶ୍ୱର ଜିଲାର ପାରମ୍ପରିକ ଲୋକକଳା ଜଉକଣ୍ଢେଇ ଶଙ୍ଖାରି ଜାତିର ଲୋକମାନେ କୌଳିକ ବୃତ୍ତିି ଭାବେ ପୁରୁଷାନୁକ୍ରମେ ଗଢିଆସୁଛନ୍ତି ା ଦୁଇ ଦଶନ୍ଧି ଧରି ବାଲେଶ୍ୱରର କଳାକାର, କଳାପ୍ରେମୀ, ବୁଦ୍ଧିଜୀବୀମାନେ ଏହି କଳାକୁ ଉଜ୍ଜୀବିତ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ଭାରତର ପାରମ୍ପରିକ କଣ୍ଢେଇ କଳାକୁ ଉଜ୍ଜୀବିତ କରାଯାଉଛି। ଭାରତୀୟ ଡାକବିଭାଗ ତରଫରୁ ୧୫୧ତମ ବିଶ୍ୱ ପୋଷ୍ଟକାର୍ଡ ଦିବସ ଅବସରରେ ଅକ୍ଟୋବର ୧ତାରିଖରେ ଭାରତର ବିଭିନ୍ନ ରାଜ୍ୟର ପ୍ରମୁଖ ୧୨ଟି ପାରମ୍ପରିକ କଣ୍ଢେଇକୁ ପୋଷ୍ଟକାର୍ଡରେ ସ୍ଥାନିତ କରି ଅନ୍‌ଲାଇନ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏଥିରେ ବାଲେଶ୍ୱରର ଜଉକଣ୍ଢେଇକୁ ସ୍ଥାନିତ କରାଯାଇଛି। ଜଉକଣ୍ଢେଇକୁ ନେଇ ଜଡିତ ବିଭିନ୍ନ ଅନୁଷ୍ଠାନ ଯଥା ବାଲେଶ୍ୱରୀ କଳାକେନ୍ଦ୍ର, ନୂଆବଜାର,ସୋର ଏବଂ କୁରୁଡା ଜଉକଣ୍ଢେଇ ବାହାଘର ଉତ୍ସବ କମିଟି, ଅରଡବଜାର ଜଉଘର ,ମା’ ବୀଣାପାଣି, ମା’ ସୁଭଦ୍ରା ଏସ୍‌ଏଚ୍‌ଜି, ତରତରିର ଲାଖ ସୋସାଇଟି, ବଣ ଧୂଳିର ଫୁଲ ଆଦି ଅନୁଷ୍ଠାନର କର୍ମକର୍ତ୍ତା କୃତଜ୍ଞତା ଜଣାଇଛନ୍ତି। ବାଲେଶ୍ୱର ଜଉକଣ୍ଢେଇ ବାହାଘର ଉତ୍ସବ କମିଟିର ସୁବାସିନୀ ଜେନା, ଅଳି ପଣ୍ଡା, କୁମାର ଗୋପାଲ, ବ୍ରହ୍ମନାଥ ରଥ, ହୃଷୀକେଶ ସାହୁ, ଉପେନ୍ଦ୍ର ପାତ୍ର, ରଘୁନାଥ ଲେଙ୍କା ପ୍ରମୁଖଙ୍କ ସହ ଲଳିତ କଳା ଏକାଡେମୀର ସଚିବ ଗଜେନ୍ଦ୍ର କୁମାର ସାହୁ , ଖଲ୍ଲିକୋଟ ଆର୍ଟ କଲେଜର ଅଧ୍ୟକ୍ଷ ଜୟନ୍ତ କୁମାର ଦାସ, ଧଉଳି ଆର୍ଟ କଲେଜ ଅଧ୍ୟକ୍ଷ ପଞ୍ଚାନନ ସାମଲ, ସୋର କଳାଘରର ମୁଖ୍ୟ ରାଜବଲ୍ଲଭ ସାହୁ, ପାରମ୍ପରିକ ଜଉକଣ୍ଢେଇ ଶିଳ୍ପୀ ତପନ ନନ୍ଦୀ, ଜଉକଣ୍ଢେଇ ଶିଳ୍ପୀ କନକଲତା ଦାସ, ଜ୍ଞାନଶ୍ରୀର ମୁଖ୍ୟ ପ୍ରଶାନ୍ତ ପଟେଲ, ଜଳେଶ୍ୱର ଆର୍ଟ ଫାଉଣ୍ଡେଶନର ମୁକ୍ତିକାନ୍ତ ନନ୍ଦୀ ପ୍ରମୁଖ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଶିଳ୍ପୀ କେଶୁ ଦାସ ଏନେଇ ଚିଫ୍‌ ପୋଷ୍ଟମାଷ୍ଟର ଜେନେରାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି।