ଫିଲ୍ମ ଷ୍ଟାଇଲ୍‌ରେ ପ୍ରେମରେ ପଡ଼ିଥିଲେ ଜୁହି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜୁହି ଚାଓ୍ବାଲାଙ୍କ ଆଜି ହେଉଛି ଜନ୍ମଦିନ। ୧୯୬୭ ମସିହା ନଭେମ୍ବର ୧୩ରେ ଜୁହି ହରିୟାଣାର ଅମ୍ବାଲାରେ ଜନ୍ମ ହୋଇଥିଲେ। ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଥିବା ଜୁହିଙ୍କ ପ୍ରେମ ବି ଠିକ୍‌ ଫିଲ୍ମ ପରି। ଆଜିର ଏହି ଖାସ୍‌ ଦିନରେ ଜୁହିଙ୍କ ବିଷୟରେ ଜାଣନ୍ତୁ କିଛି ଲୁକ୍କାୟିତ କଥା…

୧୯୯୨ରେ ଜୁହି ଫିଲ୍ମ ‘କାରୋବାର’ର ଶୁଟିଂ କରୁଥିଲେ। ଏହି ସମୟରେ ନିର୍ଦ୍ଦେଶକ ରାକେଶ ରୋଶନ ଏବଂ ବ୍ୟବସାୟୀ ଜୟ ମେହେଟ୍ଟା ବହୁତ ଭଲ ବନ୍ଧୁ ଥିଲେ। ଶୁଟିଂ ସମୟରେ ରାକେଶ ଜୁହି ଏବଂ ଜୟଙ୍କର ଭେଟ କରାଇଥିଲେ। ଏହା ପରେ ଜୁହି ଜୟଙ୍କ ସହ ଅନେକ ଥର ଭେଟ ହୋଇଛନ୍ତି। କିନ୍ତୁ ସେତେବେଳେ ଦୁହିଁଙ୍କ ମଧ୍ୟରେ କୌଣସି ପ୍ରେମ ସମ୍ପର୍କ ନ ଥିଲା। ମାତ୍ର ଯେତେବେଳେ ଜୁହି ଜାଣିଥିଲେ କି ଜୟଙ୍କ ସ୍ତ୍ରୀ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ସେତେବେଳେ ଜୟଙ୍କ ପ୍ରତି ତାଙ୍କ ବ୍ୟବହାର ବଦଳି ଯାଇଥିଲା। ଏହାପରଠାରୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଆଗକୁ ବଢ଼ିଥିଲା।

ପ୍ରଥମେ ପ୍ରେମ ପରେ ବିବାହ କଥା ଉଠିଥିଲା। ସେତେବେଳେ ଜୁହିଙ୍କ ମା’ଙ୍କର ଏକ କାର୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏଥିରେ ଜୁହି ପୂରା ଭାଙ୍ଗି ପଡ଼ିଥିଲେ। ତେଣୁ ବିବାହ କରିବେ କି ନାହିଁ ନିଷ୍ପତ୍ତି ନେଇପାରି ନ ଥିଲେ। ଏହି ସମୟରେ ଜୁହିଙ୍କୁ ବହୁତ ସାହାଯ୍ୟ କରିଥିଲେ ଜୟ। ଶେଷରେ ୧୯୯୫ରେ ଜୁହି ଜୟଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି।

ଜୁହି ୧୯୮୬ରେ ଫିଲ୍ମ ‘ସଲତ୍‌ନତ୍‌’ ଜରିଆରେ ବଲିଉଡ୍‌ରେ ପାଦ ରଖିଥିଲେ। ଏହି ଫିଲ୍ମଟି ସେତେବେଳେ ସୁପରଫ୍ଲପ୍‌ ହୋଇଥିଲା। ଏହାର ଦୁଇ ବର୍ଷ ପରେ ‘କୟାମତ ସେ କୟାମତ ତକ୍‌’ରେ ନଜର ଆସିଥିଲେ। ଏହି ଫିଲ୍ମରୁ ଜୁହି ରାତାରାତି ଲୋକପ୍ରିୟ ହୋଇଥିଲେ। ଏହା ପରଠାରୁ ଜୁହି ଦର୍ଶକଙ୍କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି।

Share