Categories: ଖେଳ

ଜଗରନଟ୍ସ ଆଜି ଚେନ୍ନାଇକୁ ଭେଟିବ

ଭୁବନେଶ୍ୱର, ୨୪।୮ (କ୍ରୀଡ଼ା ପ୍ରତିନିଧି): ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ରେ ଓଡ଼ିଶା ଜଗରନଟ୍ସ ବୁଧବାର ଚେନ୍ନାଇ କୁଇକ୍‌ ଗନ୍ସକୁ ଭେଟିବ। ଭୁବନେଶ୍ୱରଭିତ୍ତିକ ଫ୍ରାଞ୍ଚାଇଜ୍‌ ଜଗରନଟ୍ସ ଓ ଚେନ୍ନାଇ ମଧ୍ୟରେ ଏହା ହେବ ଚଳିତ ସିଜନର ଦ୍ୱିତୀୟ ମୁକାବିଲା। ପୂର୍ବରୁ ଅଗଷ୍ଟ ୧୫ରେ ଜଗରନଟ୍ସ ଏହାର ପ୍ରଥମ ମ୍ୟାଚରେ ଚେନ୍ନାଇ ଦଳକୁ ୮ (୫୧-୪୩) ପଏଣ୍ଟରେ ପରାସ୍ତ କରିଥିଲା। ଏପର୍ଯ୍ୟନ୍ତ ଓଡ଼ିଶାର ଏହି ଦଳ ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ କରି ଆସିଛି। ନିଜର ଦ୍ୱିତୀୟ ମ୍ୟାଚରେ ଗୁଜରାଟ ଜାଏଣ୍ଟ୍ସଠାରୁ ମାତ୍ର ୫ ପଏଣ୍ଟରେ ହାରିବା ପରେ ଦଳ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ପରବର୍ତ୍ତୀ ମ୍ୟାଚରେ ରାଜସ୍ଥାନ ଓ୍ବାରିୟର୍ସକୁ ୧୯ (୬୫-୪୬) ପଏଣ୍ଟରେ ହରାଇବା ପରେ ଦଳ ଆଉ ପଛକୁ ଫେରି ଚାହିଁନାହିଁ। ଏହାପର ମ୍ୟାଚରେ ଗୁଜରାଟ ଜାଏଣ୍ଟ୍ସକୁ ହରାଇ ପରାଜୟର ମଧୁର ପ୍ରତିଶୋଧ ନେଇଛି। ଦଳ ଏ ପର୍ଯ୍ୟନ୍ତ ୪ଟି ମ୍ୟାଚ ଖେଳି ୩ ବିଜୟ ଓ ୧ ପରାଜୟ ସହ ୯ ପଏଣ୍ଟ ପାଇଛି।
ତେଲ୍‌ଗୁ ଯୋଦ୍ଧାସ ବିଜୟୀ ମଙ୍ଗଳବାର ଅନୁଷ୍ଠିତ ଏକ ମ୍ୟାଚରେ ତେଲ୍‌ଗୁ ଯୋଦ୍ଧାସ ୧୨ (୫୫-୪୩) ପଏଣ୍ଟରେ ମୁମ୍ବାଇ ଖିଲାଡିଜ୍‌କୁ ପରାସ୍ତ କରିଛି। ୫ ମ୍ୟାଚରୁ ତେଲ୍‌ଗୁ ଯୋଦ୍ଧାସର ଏହା ଥିଲା ୪ର୍ଥ ବିଜୟ। ଅନ୍ୟଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଚେନ୍ନାଇ କୁଇକ୍‌ ଗନ୍ସ ମାତ୍ର ୨ (୫୩-୫୧) ପଏଣ୍ଟରେ ଗୁଜରାଟ ଜାଏଣ୍ଟ୍ସକୁ ପରାସ୍ତ କରିଛି।

Share