Categories: ଜାତୀୟ

ବିଜେଡି ସହ ଭାଜପା ମେଣ୍ଟ ଚର୍ଚ୍ଚା ନେଇ ଜବାବ ଦେଲେ ଜୁଏଲ ଓରାମ

ନୂଆଦିଲ୍ଲୀ,୬।୩ : ଓଡ଼ିଶା ଭାଜପାର କୋର୍‌ କମିଟି ବୈଠକ ବୁଧବାର ଦିଲ୍ଲୀରେ ଶେଷ ହୋଇଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏନେଇ ଭାଜପା ଏମ୍‌ପି ଜୁଏଲ ଓରାମ ସୂଚନା ଦେଇଛନ୍ତି। ଏହି ବୈଠକ ପରେ ସେ କହିଛନ୍ତି, ବୈଠକରେ ରାଜନୈତିକ ସ୍ଥିତି ଉପରେ ଆଲୋଚନା ହୋଇଛି। ସମସ୍ତ ଆସନ ଉପରେ ଆଲୋଚନା ହୋଇଛି। ତେବେ ବିଜେଡି ମେଣ୍ଟ ସମ୍ପର୍କରେ ଶୀର୍ଷ ନେତୃତ୍ୱ ଶେଷ ନିଷ୍ପତ୍ତି ନେବେ।
ଏହି ବୈଠକରେ ଜେପି ନଡ୍ଡା, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ଥିବାବେଳେ ଓଡ଼ିଶା ଭାଜପା ସଭାପତି ମନମୋହନ ସାମଲ ଉପସ୍ଥିତ ଥିଲେ। ଏହା ସହ ଭାଜପା ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂହ ତୋମର ଏବଂ କୋର୍‌ କମିଟିରେ ଥିବା ୧୮ ଜଣ ସଦସ୍ୟ ବୈଠକରେ ସାମିଲ ହୋଇଥିଲେ।
ସୂଚନାଯୋଗ୍ୟ, ରାଜ୍ୟରେ ୧୫ ବର୍ଷ ପରେ ପୁଣି ବିଜେଡି-ଭାଜପା ଏକାଠି ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଏପଟେ ବିଜେଡିର ବୈଠକ ବସୁଥିବାବେଳେ ସେପଟେ ଦିଲ୍ଲୀରେ ଭାଜପା ବୈଠକ ବସିଛି। ଫଳରେ ଉଭୟ ଦଳ ମଧ୍ୟରେ ମେଣ୍ଟ ହେବା ନେଇ ଜୋର ଧରିଛି।

Share