Categories: ଜାତୀୟ

ଗୋପାଳକରୁ ଜଜ୍‌ ସୋନଲ ଶର୍ମା

ଉଦୟପୁର, ୩୦ା୧୨: ଜଣେ ଗୋପାଳକରୁ ରାଜସ୍ଥାନ ନ୍ୟାୟିକ ସେବା(ଆର୍‌ଜେଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଉଦୟପୁରର ସୋନଲ ଶର୍ମା। ୨୦୧୮ରେ ଦ୍ୱିତୀୟ ଥର ପରୀକ୍ଷା ଦେବା ପରେ ସେ ଏଥିରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏକ ଗରିବ ପରିବାରରେ ଜନ୍ମ ଜଣେ ଗୋପାଳକଙ୍କ ଝିଅର ଏଭଳି ସଫଳତା ନେଇ ଚାରିଆଡ଼ୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ୨୬ ବର୍ଷୀୟା ସୋନଲଙ୍କ ବାପା ଜଣେ ଗୋପାଳକ ହୋଇଥିବାବେଳେ ସୋନଲ ମଧ୍ୟ ଗୋରୁଙ୍କ ଯତ୍ନ ନିଅନ୍ତି। ଏପରିକି ଅନେକ ସମୟରେ ସେ ଗୁହାଳରେ କାମ କରିବା ସମୟରେ ସେଠାରେ ହିଁ ପାଠ ପଢ଼ନ୍ତି ବୋଲି ତାଙ୍କ ବାପା କହିଛନ୍ତି। ଆର୍ଥିକ ଅସୁବିଧା ସତ୍ତ୍ୱେ ସେ ବିଏ, ଏଲ୍‌ଏଲ୍‌ବି, ଏଲ୍‌ଏଲ୍‌ଏମ୍‌ ଡିଗ୍ରୀ ହାସଲ କରିଛନ୍ତି। ଗତ ବର୍ଷ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲେ ହେଁ କିଛି ନମ୍ବର କମ୍‌ ଥିବାରୁ ତାଙ୍କୁ ଓ୍ବେଟିଂ ଲିଷ୍ଟ୍‌ରେ ରଖାଯାଇଥିଲା। ରାଜସ୍ଥାନର ଏକ ସେସନ୍ସ କୋର୍ଟରେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍‌ ଦାୟିତ୍ୱ ତାଙ୍କୁ ମିଳିବ ବୋଲି ରିପୋର୍ଟରୁ ଜଣାପଡିଛି।

Share