ନୂଆଦିଲ୍ଲୀ,୨୦।୭: ‘କକରୋଚ ଜନତା ପାର୍ଟି’ (CJP) ସୋମବାର ଜନ୍ତର-ମନ୍ତରରୁ ସଂସଦ ଭବନ ଆଡ଼କୁ ମାର୍ଚ୍ଚ କରିଥିଲା। ଏହି ସମୟରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ହଙ୍ଗାମା ଭିତରେ ସିଜେପିର ମୁଖପାତ୍ର ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିବାକୁ ଯାଇଥିଲେ। ନଡ୍ଡାଙ୍କ ସହ ସାକ୍ଷାତ ପରେ ସୌରଭ ଦାସ କହିଛନ୍ତି ଯେ, ସରକାର ଆଗାମୀ ଦିନରେ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ସୌରଭ ଦାସ ନଡ୍ଡାଙ୍କୁ ଭେଟିବା ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ’X’ରେ ଲେଖିଛନ୍ତି, ‘ମୁଁ ଏବଂ ଆଶୁତୋଷ ରାଙ୍କା ପ୍ରାୟ ୨ ଘଣ୍ଟା ଅପେକ୍ଷା କରିବା ପରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କ ସହ ୧୦ ମିନିଟ ଆଲୋଚନା କରିଛୁ। ଆମେ ଆମର ଦାବିଗୁଡ଼ିକୁ ଲିଖିତ ଭାବେ ପ୍ରଦାନ କରିଛୁ ଏବଂ ସେ ଆଗକୁ ଆଲୋଚନା କରିବାକୁ ଆଶ୍ୱାସନା ଦେଇଛନ୍ତି। ଆମେ ସେହି ପ୍ରକ୍ରିୟାରେ ଲାଗି ରହିଛୁ। ଏହି ସମୟ ମଧ୍ୟରେ ବହୁ ସଂଖ୍ୟାରେ ଲୋକଙ୍କୁ ଅଟକ ରଖାଯାଇଥିବା ଭଳି ଖବର ମଧ୍ୟ ଆସୁଛି।’
‘କକରୋଚ ଜନତା ପାର୍ଟି’ର ମୁଖ୍ୟ ମୁଖପାତ୍ର ସୌରଭ ଦାସ କରିଛନ୍ତି, “ପୋଲିସ ଅଭିଜିତ ଦିପକେଙ୍କୁ ଉଠାଇ ନେଇଛି! ଆମେ ସମସ୍ତ ସାଂସଦଙ୍କୁ ନିବେଦନ କରୁଛୁ ଯେ, ସେମାନେ ତୁରନ୍ତ ରାସ୍ତାକୁ ଓହ୍ଲାଇ ଛାତ୍ରୀଛାତ୍ରଙ୍କ ସମର୍ଥନରେ ଛିଡ଼ା ହୁଅନ୍ତୁ! ପୋଲିସ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ଉପରେ ଅତ୍ୟନ୍ତ ନିଷ୍ଠୁର ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଏବଂ ସେମାନଙ୍କୁ ପିଟୁଛି।”