ଦୁର୍ଘଟଣାରେ ସାମ୍ବାଦିକଙ୍କ ମୃତ୍ୟୁ

ଭୁବନେଶ୍ୱର,୬।୩(ବ୍ୟୁରୋ): ଖଣ୍ଡଗିରିରେ ଶନିବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଜିତେନ୍ଦ୍ର ପ୍ରସାଦ ଦାସ (୪୨)। ତାଙ୍କ ଘର କେନ୍ଦ୍ରାପଡ଼ା ମହାକାଳପଡ଼ା ଥାନା ଅଧୀନ ଅନ୍ଦୁଳିରେ। ସେ ପ୍ରମେୟ ଖବରକାଗଜର ବରିଷ୍ଠ ସହ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ।
ଜିତେନ୍ଦ୍ର ଶନିବାର ରାତିରେ ଖଣ୍ଡଗିରି ପାହାଡ଼ ପଛପାର୍ଶ୍ୱରେ ଥିବା ଓଏସ୍‌ଆର୍‌ଟିସି ବସ୍‌ ଡିପୋ ସମ୍ମୁଖରେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଆମ୍ରି ହସ୍ପିଟାଲ ଆଡୁ ବାଇକ୍‌ରେ ଆସୁଥିବା ଡାକ୍ତର ରଶ୍ମିକାନ୍ତ ମିଶ୍ର ତାଙ୍କୁ ପଛପଟୁ ଧକ୍କା ଦେଇଥିଲେ। ଫଳରେ ଜିତେନ୍ଦ୍ର ଛିଟିକି ପଡ଼ିବାରୁ ତାଙ୍କ ମୁଣ୍ଡ ରାସ୍ତା ପାର୍ଶ୍ୱ ଡିଭାଇଡରରେ ପିଟି ହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚତ୍ ଜିତେନ୍ଦ୍ରଙ୍କୁ ଆମ୍ରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଜିତେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଭରତପୁର ଥାନା ପୋଲିସ ହସ୍ପିଟାଲକୁ ଯାଇ ତଦନ୍ତ କରିବା ସହ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।