ଯୋଶେଫ ହତ୍ୟା ମାମଲା: ୨ ଭାଇଙ୍କୁ ଆଜୀବନ ଜେଲ

ଭଞ୍ଜନଗର,୨।୬(ଡି.ଏନ.ଏ): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଗୌଡ଼ଗୋଠ ପଞ୍ଚାୟତ ଅଧୀନ ଦୁଦୁବୁରୀ ଗ୍ରାମରେ ୨୦୧୬ ଅଗଷ୍ଟ ୨୬ରେ ଘଟିଥିବା ଯୋଶେଫ ପାଟ୍ଟମାଝୀ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ଭଞ୍ଜନଗର ଏଡିଜେ ଡ. ଅରୁଣ କୁମାର ସାହୁ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ ୨ଭାଇ ରନିତ ମଲିକ ଓ ସନିତ ମଲିିକଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦାୟର ୬ ମାସ ଅଧିକ କାରାଦଣ୍ଡ ଭୋଗିବେ। ସେହିପରି ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ୧ ବର୍ଷ କାରାଦଣ୍ଡ ସହ ୧ ହଜାର ଟଙ୍କା ଜରିମାନା ଲାଗଇଛନ୍ତି କୋର୍ଟ। ଜରିମାନା ଅନାଦାୟ ଅଧିକ ଏକ ମାସ କାରାଦଣ୍ଡ ଭୋଗିବାକୁ ବିଚାରପତି ରାୟ ଶୁଣାଇଛନ୍ତି।

ପ୍ରକାଶ ଯେ, ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ବାଲିଗଣ୍ଡା ଗ୍ରାମର ଯୋଶେଫ ପାଟ୍ଟମାଝୀ ୨୦୧୬ ଅଗଷ୍ଟ ୨୪ରେ ଦୁଦୁବୁରୀ ଗ୍ରାମକୁ ଜଣେ ସମ୍ପର୍କୀୟା ଭଉଣୀଙ୍କ ଘରକୁ ଯାଇଥିଲେ। ତେବେ ଏହାର ଦୁଇଦିନ ପରେ ଅର୍ଥାତ୍‌ ୨୬ ତାରିଖ ସକାଳେ ପ୍ରେମ ଜନିତ ସମ୍ପର୍କକୁ ନେଇ ଯୋଶେଫଙ୍କୁ ଦୁଇ ଅଭିଯୁକ୍ତ ରନିତ ଓ ସନିତ ତାଙ୍କୁ ଆକ୍ରମଣ କରିଥିଲେ। ଏହି ସମୟରେ ସମ୍ପର୍କୀୟା ଭଉଣୀଙ୍କ ସମେତ ଅନ୍ୟ ଜଣେ ମହିଳା ଯୋଶେଫଙ୍କୁ ଉଦ୍ଧାର କରିବାକୁ ଯାଇ ବିଫଳ ହୋଇଥିଲେ। ପରେ ଅଭିଯୁକ୍ତଦ୍ୱୟ ଯୋଶେଫଙ୍କ ହାତ, ଗୋଡ଼ ବାନ୍ଧି ଜଙ୍ଗଲକୁ ନେଇ ହତ୍ୟାକରି ପୋତି ଦେଇଥିଲେ।