ଖୁବ୍‌ଶୀଘ୍ର ବଦଳିବ ଯୋରନ୍ଦା କଳେବର

ଢେଙ୍କାନାଳ ଅଫିସ, ୨୬।୫: ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ଯୋରନ୍ଦାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ଜାରି ରହିଛି। ଏହାର ସମୀକ୍ଷା କରିବା ପାଇଁ ୫-ଟି ସଚିବ ଭି. କେ. ପାଣ୍ଡିଆନ୍‌ ଆସନ୍ତା ୨୯ ତାରିଖରେ ଯୋରନ୍ଦା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଗୁରୁବାର ଅପରାହ୍ନରେ ବିଧାୟକ ସୁଧୀର କୁମାର ସାମଲ, ଜିଲାପାଳ ସରୋଜ କୁମାର ସେଠୀ, ଜିଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ ପ୍ରମୁଖ ମହିମାଗାଦିରେ ପହଞ୍ଚତ୍ ବିକାଶମୂଳକ କାର୍ଯ୍ୟର ତଦାରଖ କରିଛନ୍ତି।
କୌପୀନଧାରୀ ଓ ବଳ୍କଳଧାରୀ ମହିମା ସାଧୁଗୋଷ୍ଠୀ ମଧ୍ୟରେ ଦୀର୍ଘବର୍ଷ ଧରି ଲାଗି ରହିଥିବା ବିବାଦର ଅନ୍ତ ହେବା ପରେ ପୀଠର ବିକାଶ ପଥ ଉନ୍ମୁକ୍ତ ହୋଇଛି। ବିଧାୟକ ଏବଂ ଜିଲାପାଳ ଉଭୟ ଗୋଷ୍ଠୀର ସାଧୁସନ୍ଥ, ସ୍ଥାନୀୟ ଅଞ୍ଚଳବାସୀଙ୍କ ମତାମତ ସଂଗ୍ରହ କରିଛନ୍ତି। ୨୯ ତାରିଖରେ ୫-ଟି ସଚିବ ମହିମାଗାଦି ପରିଦର୍ଶନରେ ଆସି ମହିମା ସନ୍ନ୍ୟାସୀଙ୍କ ଗହଣରେ ପ୍ରସାଦ ସେବନ କରିବେ। ଏଥିସହ ଅଞ୍ଚଳବାସୀଙ୍କ ସହ ଭାବ ବିନିମୟ କରିବା କାର୍ଯ୍ୟକ୍ରମ ରହିଛି। ଢେଙ୍କାନାଳ ଜିଲାରେ ପର୍ଯ୍ୟଟନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସେଥିରୁ ୧୦ କୋଟି ଟଙ୍କା ଯୋରନ୍ଦା ଉନ୍ନୟନ କାର୍ଯ୍ୟରେ ଖର୍ଚ୍ଚ ହେବ। ଆବଶ୍ୟକ ପଡ଼ିଲେ ଅଧିକ ଅନୁଦାନ ଯୋଗାଇ ଦିଆଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି।
ଏ ସଂକ୍ରାନ୍ତରେ ବିଧାୟକ ସାମଲ କୁହନ୍ତି, ସମସ୍ତଙ୍କ ମିଳିତ ଉଦ୍ୟମରେ ଦୁଇ ସାଧୁ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ରାଜ୍ୟ ସରକାର ଯୋରନ୍ଦାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ଯୋଜନା କରିଛନ୍ତି। ଖୁବ୍‌ କମ୍‌ଦିନରେ ଯୋରନ୍ଦାର ରୂପରେଖ ବଦଳିଯିବ। ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ଏହି ପୀଠ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ। ଜିଲାପାଳ କହିଲେ, ଯୋରନ୍ଦାରେ ବିକାଶମୂଳକ କାର୍ଯ୍ୟ ଜାରି ରହିଛି। ଜନପ୍ରତିନିଧି, ଅଞ୍ଚଳବାସୀ ଏବଂ ସାଧୁସନ୍ଥ ଏଥିରେ ଅକୁଣ୍ଠ ସହଯୋଗ କରୁଛନ୍ତି।
ସମୀକ୍ଷା ବେଳେ ଅନ୍ୟମାନଙ୍କ ମଧ୍ୟରେ କୋରାପୁଟରୁ ଆସିଥିବା ସଂଯୋଜକ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କଳ୍କଳଧାରୀ ମହିମା ସମାଜ ପକ୍ଷରୁ ବାବା ନିତ୍ୟାନନ୍ଦ ଦାସ, କୌପୀନଧାରୀ ମହିମା ସମାଜର ବାବା ରମେଶ ବାବା ପ୍ରମୁଖ ଉପସ୍ଥିତ ଥିଲେ।