ଥୁଆମୂଳ ରାମପୁର, ୨୧।୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର କର୍ଲାପାଟ ଥାନା ଅନ୍ତର୍ଗତ ତଳ ଆମ୍ବପଦର ଗ୍ରାମରେ ବନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ବିପୁଳ ପରିମାଣର ବେଆଇନ ସାଳ କାଠ ପଟା ଏବଂ ଗଣ୍ଡି ଜବତ କରାଯାଇଛି। ଜବତ କାଠ ମଧ୍ୟରେ ୪୭ ଖଣ୍ଡ ସାଳ ପଟା ଓ କାଠ ଗଣ୍ଡି ରହିଥିବା ସୂଚନା ମିଳିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଲାଇ ମାଝୀ (୪୨) ପିତା- ପାଟଦି ମାଝୀଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ସେ ବର୍ତ୍ତମାନ ଫେରାର ଥିବା ଜଣାପଡ଼ିଛି।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କର୍ଲାପାଟ ପୋଲିସ ଏବଂ ସାଇଶୁରୁଣୀ ରେଞ୍ଜରଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀମାନେ ତଳ ଆମ୍ବପଦର ସ୍ଥିତ ଲାଇ ମାଝୀଙ୍କ ଘର ଭିତର ଓ ବାହାରେ ଅତର୍କିତ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଗଚ୍ଛିତ ଥିବା ମୂଲ୍ୟବାନ ଚିରା ସାଳ କାଠ ପଟା ଓ ଗଣ୍ଡିଗୁଡ଼ିକୁ ଜବତ କରି ବନ ବିଭାଗ ଓ ପୋଲିସ ଉପସ୍ଥିତିରେ ଟ୍ରାକ୍ଟର ଯୋଗେ
ବନବିଭାଗ କାର୍ଯ୍ୟାଳୟକୁ ନିଆଯାଇଥିବା ଜଣାପଡ଼ିଛି। ଏନେଇ ବନ ବିଭାଗ ଓ ପୋଲିସ ପକ୍ଷରୁ ଓଡ଼ିଶା ବନ ଆଇନ ୧୯୭୨ ଅନୁଯାୟୀ କେସ ନମ୍ବର ୫୭/୨୬ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।
ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ବନ୍ୟପ୍ରାଣୀ ଶିକାର ଓ ବାଘଛାଲ ଜବତ ଘଟଣାରେ ତଳ ଆମ୍ବପଦର ଗ୍ରାମର କେତେକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବାବେଳେ, ଗତ ମାସରେ ହୋଇଥିବା କଲରାପତରିଆ ବାଘଛାଲ ଜବତ ମାମଲାରେ ମଧ୍ୟ ଲାଇ ମାଝୀଙ୍କ ନାମ ଆସିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି।
ଅନ୍ୟପକ୍ଷରେ, ଲାଇ ମାଝୀ ‘ମାଁ ମାଲି ମାଟି ସୁରକ୍ଷା ମଞ୍ଚ (କଳାହାଣ୍ଡିରାୟଗଡ଼ା)’ର ଉପ-ସଭାପତି ଭାବେ ପରିଚିତ ଥିବା ବେଳେ ସିଜି ମାଳି ହେଉ କିମ୍ବା କର୍ଲାପାଟ ଖଣ୍ଡୁଆଳ ମାଳିସବୁବେଳେ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ତଥା ଅଧିକାର ପାଇଁ ସ୍ବର ଉଠାଇ ଆସୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୁଏ। ଏଭଳି ପରିସ୍ଥିତିରେ ଜଳ, ଜଙ୍ଗଲ ଓ ଜମି ସୁରକ୍ଷା ପାଇଁ ଲଢ଼େଇ କରୁଥିବା ଜଣେ ବ୍ୟକ୍ତିଙ୍କ ନାମରେ ସାଳ କାଠ ଚୋରା କାରବାର ଓ ବନ୍ୟପ୍ରାଣୀ ସମ୍ପୃକ୍ତ ମାମଲା ଆସିବାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ପରିବେଶ ପ୍ରେମୀ ମହଲରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣା ସମ୍ପର୍କରେ ଅଭିଯୁକ୍ତ ଲାଇ ମାଝୀ ଫେରାର ଥିବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ଓ ବନ ବିଭାଗ ପକ୍ଷରୁ ତଦନ୍ତ ଚାଲିଛି।