ହାଟଡିହୀ/ଛେନାପଦୀ, ୨୩/୧୧ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାର ନନ୍ଦିପଦା ପୋଲିସ ଏବଂ ଭଦ୍ରକ ଜିଲାର ବନ୍ତ ପୋଲିସ ଏକ ଠକେଇ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ହାଟଡିହୀ ଅଞ୍ଚଳରେ ମିଳିତ ଚଢ଼ାଉ କରିଥିଲେ। ତେବେ ଚଢ଼ାଉ ପୂର୍ବରୁ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲେ।
ଏହି ଚଢ଼ାଉରେ ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତି ଏବଂ ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତିଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ।
ଉଭୟ ଥାନାଧିକାରୀଙ୍କ ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ଫୋନ୍ ମାଧ୍ୟମରେ ନିଜକୁ ବନ୍ତ ଅଞ୍ଚଳର ଚନ୍ଦ୍ରକାନ୍ତ ରଣା ବୋଲି ପରିଚୟ ଦେଇ ଭଦ୍ରକସ୍ଥିତ ରାଜ ଇଲେକ୍ଟ୍ରୋନିକ୍ସ ଦୋକାନରୁ ୭୩ ହଜାର ୨୦୦ ଟଙ୍କା ମୂଲ୍ୟର ବିଦ୍ୟୁତ୍ ସାମଗ୍ରୀ ମଗାଇଥିଲେ। କିନ୍ତୁ ସାମଗ୍ରୀ ନେବା ପରେ ଦୋକାନୀଙ୍କୁ ଉକ୍ତ ଟଙ୍କା ପୈଠ କରି ନ ଥିଲେ। ଏ ନେଇ ଦୋକାନୀ ଜଣକ ବନ୍ତ ଥାନାରେ ଅଭିଯୋଗ କରିଥିଲେ।
ଏହି ଘଟଣାରେ ବନ୍ତ ଥାନାରେ ମାମଲା ନଂ. ୩୩୩/୨୦୨୬ ରୁଜୁ ହୋଇଛି। ପୋଲିସ ତଦନ୍ତରୁ ଅଭିଯୁକ୍ତଙ୍କ ଘର ହାଟଡିହୀ ଅଞ୍ଚଳରେ ବୋଲି ଜଣାପଡ଼ିଥିଲା। ଏହି ବ୍ୟକ୍ତିଙ୍କ ନାମରେ ପୂର୍ବରୁ ମଧ୍ୟ ସମାନ ଧରଣର ମାମଲା ରହିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।