ଧର୍ମଶାଳାରେ ଅବକାରୀ ବିଭାଗ ଓ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ମିଳିତ ଚଢ଼ାଉ: ଟ୍ୟୁବ୍‌ ଭିତରୁ ୪୦୦ ଲିଟର ଦେଶୀ ମଦ ଜବତ

ଧର୍ମଶାଳା,୧୧ା୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଅବକାରୀ ବିଭାଗ ଅନ୍ତର୍ଗତ ଦେଓଦା ଗାଁରେ ଶୁକ୍ରବାର ସକାଳୁ ଅଚାନକ ଚଢ଼ାଉ କରାଯାଇଛି । ଅବକାରୀ ବିଭାଗ ଓ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ମିଳିତ ଭାବେ ଏହି ଚଢ଼ାଉ କରାଯାଇଥିବା ଜଣାପଡ଼ିଛି ।

ଚଢ଼ାଉ ସମୟରେ ଏକ ଟ୍ୟୁବ୍‌ ଭିତରେ ଲୁଚାଇ ରଖାଯାଇଥିବା ପ୍ରାୟ ୪୦୦ ଲିଟରରୁ ଊର୍ଦ୍ଧ୍ୱ ଦେଶୀ ମଦ ଠାବ କରାଯାଇଥିଲା। ଏହାକୁ ଅବକାରୀ ବିଭାଗ ପକ୍ଷରୁ ଜବତ କରାଯିବା ପରେ ଘଟଣାସ୍ଥଳରେ ଢାଳି ନଷ୍ଟ କରାଯାଇଥିବା ଜଣାପଡ଼ିଛି । ଦେଓଦା ଗାଁର ବିଭିନ୍ନ ସ୍ଥାନରେ ଦେଶୀ ମଦ ବିକ୍ରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି । ବିଶେଷକରି ସ୍କୁଲ୍‌ ନିକଟରେ ମଧ୍ୟ ଦେଶୀ ମଦ ବେପାର ଚାଲୁଥିବା ଅଭିଯୋଗ ରହିଛି। ସେହିପରି ଗାଁର କେତେକ ଘରେ ଦେଶୀ ମଦ ବେପାର ବୃଦ୍ଧି ପାଉଥିବା ନେଇ ମଧ୍ୟ ମାମଲା ହୋଇଛି।

ଅଭିଯୋଗ ଅନୁସାରେ, କେତେକ ଯୁବକ ସ୍କୁଟି ଓ ବାଇକ୍‌ ଡିକିରେ ଦେଶୀ ମଦ ନେଇ ହୋମ୍‌ ଡେଲିଭରି ଭଳି ବିଭିନ୍ନ ସ୍ଥାନରେ ବିକ୍ରି କରୁଥିବା କୁହାଯାଉଛି । ଏଭଳି ଅବୈଧ ମଦ କାରବାର ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି । ଅବୈଧ ଦେଶୀ ମଦ କାରବାର ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ଜଣାପଡ଼ିଛି ।

Dharitri – Odisha’s No.1 Odia Daily

Share