ଜାପାନ ସାଗରରେ ମିଳିତ ନୌସମରାଭ୍ୟାସ, ଅନ୍ତର୍ଜାତୀୟସ୍ତରରେ ଉତ୍ତେଜନା…

ଟୋକିଓ,୨୫।୧୧: ଦକ୍ଷିଣ ଚାଇନା ସାଗରରୁ ଜାପାନ ସାଗର ପର୍ଯ୍ୟନ୍ତ ସାମୁଦ୍ରିକ ଅଞ୍ଚଳରେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ, କାନାଡା, ଜର୍ମାନୀ ପକ୍ଷରୁ ମିଳିତ ଭାବେ ନୌସମରାଭ୍ୟାସ ଜାରି ରହିଛି। ଗତ ରବିବାର ଠାରୁ ଆରମ୍ଭ ହୋଇଥିବା ଏହି ନୌସମରାଭ୍ୟାସ ଆନୁଏଲେକ୍ସ୍‌-୨୦୨୧ ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଏହାକୁ ଜାପାନ ନୌସେନା ପକ୍ଷରୁ ଆୟୋଜନ କରାଯାଇଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ନୌସମରାଭ୍ୟାସ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ। ପ୍ରଥମ ଥର ପାଇଁ ଚଳିତ ବର୍ଷ ଜର୍ମାନୀ ଏଥିରେ ଯୋଗ ଦେଇଛି। ଏହାକୁ ନେଇ ଚାଇନା ଏବଂ ରୁଷିଆ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି ସାମୁଦ୍ରିକ ଅଞ୍ଚଳରେ ଚାଇନା ନିଜର ଦାଦାଗିରି ଦେଖାଉଥିବାବେଳେ ରୁଷିଆ ନିଜ ଯୁଦ୍ଧ ବିମାନ ଉଡ଼ାଇ ପତିଆରା ବଢ଼ାଇବାର ପ୍ରୟାସ କରୁଛି। ଏହାକୁ ଦୃଷ୍ଟିରେ ରଖି ନୌସମରାଭ୍ୟାସର ଆୟୋଜନ କରାଯାଇଥିବା କୁହାଯାଉଛି।

ପୂର୍ବ ଚାଇନା ସାଗରରେ ଅବସ୍ଥିତ ଦ୍ୱୀପପୁଞ୍ଜକୁ ନେଇ ଚାଇନା ଏବଂ ଜାପାନ ମଧ୍ୟରେ ବିବାଦ ରହିଛି। ଉଭୟ ଦେଶ ଏହି ଜନବହୁଳ ଦ୍ୱୀପପୁଞ୍ଜ ନିଜର ବୋଲି ଦାବି କରୁଛନ୍ତି। ଏହି ଦ୍ୱୀପପୁଞ୍ଜ ଜାପାନରେ ସେନକାକୁ ଏବଂ ଚାଇନାରେ ଡିୟାଓସ ଭାବେ ଜଣାଶୁଣା।

୧୯୭୨ପରଠାରୁ ଏହି ଦ୍ୱୀପପୁଞ୍ଜର ପ୍ରଶାସନ ଜାପାନର ହାତରେ ଅଛି। ଚାଇନା ଦାବି କରିଛି ଯେ ଏହି ଦ୍ୱୀପପୁଞ୍ଜ ଏହାର ଅଧୀକାର କ୍ଷେତ୍ରରେ ରହିଛି। ଜାପାନ ଏହାର ଦାବି ଛାଡିଦେବା ଉଚିତ। ଚାଇନାର କମ୍ୟୁନିଷ୍ଟ ପାର୍ଟି ଏହାକୁ ନିଜ ଦଖଲକୁ ନେବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନର ଧମକ ମଧ୍ୟ ଦେଇ ସାରିଛି।

Share