ଉପକୂଳରେ ୨ ଦିନିଆ ମିଳିତ ସମରାଭ୍ୟାସ

ପାରାଦୀପ,୬।୧୧(ସ୍ବ.ପ୍ର.): ଓଡ଼ିଶା ଓ ପଶ୍ଚିମବଙ୍ଗର ପୂର୍ବଉପକୂଳରେ ୨ ଦିନିଆ ମିଳିତ ସମରାଭ୍ୟାସ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହି କ୍ରମରେ ପାରାଦୀପ ସାମୁଦ୍ରିକ ଥାନା ଓ ଆଖପାଖ ଅଞ୍ଚଳର ଉପକୂଳବର୍ତ୍ତୀ ସମୁଦ୍ର ସୀମାରେ ମିଳିତ ପାଟ୍ରୋଲିଂ କରାଯାଇଛି। ଏହି ସମରାଭ୍ୟାସର ନାମ ସାଗର କବଚ(ଓଡିଡବ୍ଲ୍ୟୁବି-୦୨) ରଖାଯାଇଛି। ଏଥିରେ ନୌସେନା, କୋଷ୍ଟଗାର୍ଡ, ମେରାଇନ ପୋଲିସ, ଓଡ଼ିଶା ପୋଲିସ, ମତ୍ସ୍ୟବିଭାଗ, ବନ ବିଭାଗ, ଇମିଗ୍ରେଶନ, କଷ୍ଟମ୍ସ, ସିଆଇଏସ୍‌ଏଫ୍‌ ଓ ପୋର୍ଟ ସମେତ ୧୩ ସୁରକ୍ଷା ସଂସ୍ଥା ସାମିଲ ହୋଇଛନ୍ତି। ନିଜ ସୀମାରେ କୌଣସି ଛଦ୍ମବେଶୀ ଆତଙ୍କବାଦୀ ପ୍ରବେଶ କଲେ ସେମାନଙ୍କୁ କିପରି ଧରାଯିବ ସେଥିପାଇଁ ଅଭ୍ୟାସ କରାଯାଇଛି। ୨୦୦୮ ନଭେମ୍ବର ୨୬ରେ ପାକିସ୍ତାନ ଆତଙ୍କବାଦୀ ଉପକୂଳ ସୀମା ଦେଇ ଭାରତରେ ପ୍ରବେଶ କରି ମୁମ୍ବାଇ ସହରରେ ଆକ୍ରମଣ କରିଥିଲା। ସେତେବେଳେ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସମନ୍ବୟ ରହି ନ ଥିଲା। ଉକ୍ତ ଘଟଣା ପରେ କେନ୍ଦ୍ର ସରକାର ସେଭଳି ପରିସ୍ଥିତିର ମୁକାବିଲା ପାଇଁ ପ୍ରତିବର୍ଷ ୨ଥର ଦେଶର ପୂର୍ବ ଉପକୂଳରେ ମିଳିତ ସମରାଭ୍ୟାସ କରୁଛନ୍ତି। ମାତ୍ର କୋଭିଡ୍‌ ଯୋଗୁ ଚଳିତ ବର୍ଷ ଗୋଟିଏ ଥର ସମରାଭ୍ୟାସ କରାଯିବ ବୋଲି ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି।