୫୭ ବର୍ଷରେ ବାପା ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ, ୧୦ା୧୨: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ(୫୭) ପୁଣି ବାପା ହୋଇଛନ୍ତି। ସ୍ତ୍ରୀ କ୍ୟାରି ଜନ୍‌ସନ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ଗୁରୁବାର ଉଭୟେ ଘୋଷଣା କରିଛନ୍ତି। ଏହା ସେମାନଙ୍କ ଦ୍ୱିତୀୟ ସନ୍ତାନ। ଗତ ବର୍ଷ ଏପ୍ରିଲରେ କ୍ୟାରି ପୁଅ ଓ୍ବିଲଫ୍ରେଡ୍‌ ଜନ୍‌ସନ୍‌ଙ୍କୁ ଜନ୍ମ ଦେଇଥିଲେ। ସେ ଗର୍ଭବତୀ ଥିବା ନେଇ ଗତ ଜୁଲାଇରେ ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟ କରିଥିଲେ। ଖ୍ରୀଷ୍ଟମାସ ସୁଦ୍ଧା ନୂଆ ସନ୍ତାନ ଆସିବାକୁ ଆଶା ଥିବା କ୍ୟାରି ଉଲ୍ଲେଖ କରିଥିଲେ। ୨୦୧୮ରୁ କ୍ୟାରିଙ୍କ ସହ ବୋରିସ୍‌ଙ୍କ ସମ୍ପର୍କ ଥିଲା। ଉଭୟେ ଗତ ମେ’ରେ ବିବାହ କରିଥିଲେ। କ୍ୟାରି ହେଉଛନ୍ତି ତାଙ୍କ ତୃତୀୟ ସ୍ତ୍ରୀ। ଭାରତୀୟ ବଂଶୋଦ୍ଭବ ମାରିନା ହ୍ବିଲରଙ୍କୁ ଛାଡ଼ପତ୍ର ଦେବା ପରେ ବୋରିସ୍‌ କ୍ୟାରିଙ୍କ ହାତ ଧରିଥିଲେ। ଆଲ୍ଲେଗ୍ରା ମୋଷ୍ଟେନ୍‌-ଓଇନ୍‌ ହେଉଛନ୍ତି ତାଙ୍କ ପ୍ରଥମ ସ୍ତ୍ରୀ। ବୋରିସ୍‌ ଜଣେ ଆର୍ଟ କନ୍‌ସଲଟାଣ୍ଟ ହେଲେନଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ବେଳେ ୨୦୦୯ରେ ଏକ ସନ୍ତାନର ବାପା ହୋଇଥିଲେ। ବୋରିସ୍‌ ଏବଂ ପ୍ରଥମ ସ୍ତ୍ରୀ ମାରିନାଙ୍କ ୪ ସନ୍ତାନ ରହିଛନ୍ତି।

Share