ବଲିଉଡରେ ଦୁଇ ଦଶନ୍ଧି ଧରି କାମ କରୁଥିବା ପ୍ରଖ୍ୟାତ ଅଭିନେତା ଜନ୍ ଆବ୍ରାହମ ଏକ ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାନ୍ତି। ସେ କେବଳ ତାଙ୍କ ଫିଲ୍ମ ପାଇଁ ନୁହେଁ ବରଂ ତାଙ୍କ ଧନସମ୍ପତ୍ତି ପାଇଁ ମଧ୍ୟ ପ୍ରାୟତଃ ଚର୍ଚ୍ଚାର ପରିସରକୁ ଆସିଥାନ୍ତି। ନିକଟରେ ସେ ଏକ ଫ୍ଲାଟ୍ କିଣିଛନ୍ତି। ମୁମ୍ବାଇର ଏକ ପ୍ରମୁଖ ସ୍ଥାନରେ ମୋଟା ଅଙ୍କର ଦାମ୍ ଦେଇ ଏହି ଫ୍ଲାଟ୍ ନିଜ ନାଁରେ କରିଛନ୍ତି। ମୁମ୍ବାଇର ପଶ୍ ବାନ୍ଦ୍ରା ପଶ୍ଚିମ ଅଞ୍ଚଳରେ ଏହି ଫ୍ଲାଟ୍ ରହିଛି। ଏଥିପାଇଁ ସେ ୮୪ କୋଟି ଟଙ୍କା ପୈଠ କରିଛନ୍ତି। ଏହି ସମ୍ପତ୍ତି ବାନ୍ଦ୍ରା ପଶ୍ଚିମର ସେଣ୍ଟ ମାର୍ଟିନ ରୋଡରେ ଅବସ୍ଥିତ। ଏଠାରେ ଅନେକ ପ୍ରମୁଖ ସେଲିବ୍ରିଟିଙ୍କ ମାଲିକାନାରେ ସମ୍ପତ୍ତି ରହିଛି। ଜନ୍ ଆବ୍ରାହମ ମୁମ୍ବାଇର ବାନ୍ଦ୍ରାରେ ଏକ ସମୁଦ୍ରମୁଖୀ ଡୁପ୍ଲେକ୍ସ ପେଣ୍ଟହାଉସରେ ରୁହନ୍ତି। ଏହାର ମୂଲ୍ୟ ପ୍ରାୟ ୬୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। କେବଳ ଏତିକି ନୁହେଁ, ଅଭିନେତା ଆମେରିକାର ଲସ୍ ଆଞ୍ଜେଲସ୍ରେ ଏକ ବିଳାସପୂର୍ଣ୍ଣ ସମ୍ପତ୍ତିର ମାଲିକ। ତାଙ୍କର ଲଣ୍ଡନରେ ଏକ ବିଳାସପୂର୍ଣ୍ଣ ଘର ମଧ୍ୟ ଅଛି। ଜନ୍ ଆଗକୁ ମୁମ୍ବାଇ ପୋଲିସ କମିଶନର ରାକେଶ ମାରିଆଙ୍କ ଉପରେ ଆଧାରିତ ଏକ ଫିଲ୍ମରେ ନଜର ଆସିବେ। ତେବେ ଏହାର ନାମ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ।