Categories: ଖେଳ

ଆଇପିଏଲ୍‌ରେ ମୁମ୍ବାଇ ଜର୍ସି ପିନ୍ଧି ଖେଳିବାକୁ ଉତ୍ସାହିତ ଏହି ଖେଳାଳି

ଲଣ୍ଡନ,୧୨।୩: ଆହତ ସମସ୍ୟାରୁ ସୁସ୍ଥ ହୋଇ ଦୀର୍ଘଦିନର ବ୍ୟବଧାନରେ ଇଂଲଣ୍ଡ ଟିମ୍‌କୁ ଫେରିଥିବା ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଆଇପିଏଲ୍‌ ଖେଳିବାକୁ ଉତ୍ସାହିତ ଅଛନ୍ତି। ଦୁଇ ବର୍ଷ ପରେ ସେ ଟୁର୍ନାମେଣ୍ଟକୁ ଫେରୁଥିବା ବେଳେ ତାଙ୍କ ଦଳ ମଧ୍ୟ ବଦଳିଛି। ଗତ ବର୍ଷ ଅନୁଷ୍ଠିତ ମେଗା ନିଲାମରେ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ କରିଥିଲା। ଏଭଳି ସ୍ଥିତିରେ ସେ ଆଇପିଏଲ୍‌ ଇତିହାସର ସବୁଠାରୁ ସଫଳ ଦଳର ଜର୍ସି ପିନ୍ଧି ଖେଳିବାକୁ ଉତ୍ସାହିତ ହୋଇଛନ୍ତି।

ଆର୍ଚର ଆଇପିଏଲ୍‌କୁ ନେଇ ଦେଇଥିବା ବୟାନରେ କହିଛନ୍ତି, ଆସନ୍ତା ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କୌଣସି ପ୍ରତିବନ୍ଧକ ବିନା ଖେଳିବାକୁ ଚାହୁଁଛନ୍ତି। ସେ ବହୁତ ଭଲ ଭାବେ ଜାଣନ୍ତି ଯେ ତାଙ୍କୁ କ୍ରମାଗତ ମ୍ୟାଚ୍‌ ଖେଳିବାକୁ ମିଳିବ ନାହିଁ।

୧୮ ମାସ ଧରି କ୍ରିକେଟରୁ ଦୂରରେ ରହିବା ପରେ ୨୭ ବର୍ଷୀୟ ଆର୍ଚର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ଲିଗ୍‌ରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଏବେ ଜସପ୍ରିତ ବୁମ୍‌ରା ଏବଂ ଅଷ୍ଟ୍ରେଲିଆର ରିଚାର୍ଡସନ ଆହତ ସମସ୍ୟା ଯୋଗୁ ବାଦ୍‌ ପଡ଼ିଯିବା ପରେ ମୁମ୍ବାଇ ଟିମ୍‌ ପରିଚାଳନା ବିଭାଗ ଏବେ ଆର୍ଚରଙ୍କ ଉପରେ ଭରସା କରୁଥିବା କୁହାଯାଉଛି।

Share