Categories: ଖେଳ

ଭାରତ ବିପକ୍ଷ ଦିନିକିଆ ସିରିଜ୍‌ରୁ ବାହାରିପାରନ୍ତି ଇଂଲଣ୍ଡ ଅଧିନାୟକ, ଏଭଳି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୯।୨: ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍‌ରେ ଖେଳି ନ ପାରନ୍ତି ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଜୋ ରୁଟ୍‌। ଏବେ ଉଭୟ ଟିମ୍‌ ମଧ୍ୟରେ ଟେଷ୍ଟ ସିରିଜ୍‌ ଜାରି ରହିଛି। ଏହା ଶେଷ ହେବା ପରେ ଇଂଲଣ୍ଡର ରୋଟେଶନ୍‌ ପଲିସି ଅନୁଯାୟୀ ରୁଟ୍‌ଙ୍କୁ ଆରାମ ଦିଆଯିବ। ତାଙ୍କ ସହ ଅଲ୍‌ରାଉଣ୍ଡର କ୍ରିସ୍‌ ବୋକ୍ସଙ୍କୁ ମଧ୍ୟ ଆରାମ ଦିଆଯିବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ନିକଟରେ ଇଂଲଣ୍ଡ ଟିମ୍‌ର ବେନ୍‌ ଷ୍ଟୋକ୍ସ, ଜୋଫ୍ରା ଆର୍ଚର, ଜୋନ ବେୟରଷ୍ଟୋ, ଜେମ୍ସ ଆଣ୍ଡରସନ୍‌ ଏବଂ ଜୋସ୍‌ ବଟଲରଙ୍କୁ ଆରାମ ଦିଆଯାଇଥିଲା।

ପ୍ରକାଶ ଯେ, ମାର୍ଚ୍ଚ ୮ରେ ଟେଷ୍ଟ ସିରିଜ୍‌ ସମାପ୍ତ ହେବ। ଏହାପରେ ମାର୍ଚ୍ଚ ୧୨ରୁ ଟି୨୦ ସିରିଜ୍‌ ଆରମ୍ଭ ହେବ। ଏହା ମାର୍ଚ୍ଚ ୨୦ରେ ଶେଷ ହେବ। ଏହାପରେ ୨୩ରୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଦିନିକିଆ ସିରିଜ ଖେଳାଯିବ। ଏବେ ଦୁଇଟି ଟେଷ୍ଟ ଖେଳାଯାଇଥିବା ବେଳେ ୧-୧ରେ ସିରିଜ୍‌ ରହିଛି। ଏହାପରେ ଭାରତ-ଇଂଲଣ୍ଡ ସିମିତ ଓଭର ସିରିଜ୍‌ରେ ପରସ୍ପରକୁ ଭେଟିବେ। ଏଥିରେ ୫ ଟି୨୦ ମ୍ୟାଚ୍‌ ଏବଂ ୩ଟି ଏକଦିବସୀୟ ମ୍ୟାଚ୍‌ ରହିଛି।

Share