Categories: ଜାତୀୟ

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଯୋଧପୁର,୯।୧୨: ରାଜସ୍ଥାନର ଯୋଧପୁରର ଚଳିତ ବର୍ଷ ସବୁଠାରୁ ବଡ଼ ସିଲିଣ୍ଡର ବିସ୍ଫୋରଣର ହୃଦୟ ବିଦାରକ ଘଟଣା ଗୁରୁବାର ଶେରଗଡର ଭୁଙ୍ଗରା ଗ୍ରାମରେ ଏକ ବିବାହ ଉତ୍ସବରେ ଘଟିଛି। ଏହି ଦୁର୍ଘଟଣା ଯୋଗୁ ୬୦ ଜଣ ନିଆଁ କବଳକୁ ଆସିଯାଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ଥିଲେ। ୫୨ଜଣ ଜ୍ୱଳନ୍ତ ପୀଡିତାଙ୍କୁ ଯୋଧପୁରର ମହାତ୍ମା ଗାନ୍ଧୀ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି। ଅନ୍ୟପଟେ ଏହି ଘଟଣାରେ ୩ ମହିଳା ଏବଂ ୨ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେତେକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ଭେଟିବା ସହ ସେମାନଙ୍କ ସମସ୍ତ ସମ୍ଭାବ୍ୟ ଚିକିତ୍ସାର ଖର୍ଚ୍ଚ ରାଜ୍ୟସରକାର ବହନ କରିବେ ବୋଲି ଆହତଙ୍କ ପରିବାରବର୍ଗଙ୍କୁ ଆଶ୍ୱାସନା ଦେଇଛନ୍ତି। ଏଥିସହ ଚିକିତ୍ସା ଏବଂ ସହାୟତାରେ କୌଣସି ଅବହେଳା କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଚିରଞ୍ଜୀବୀ ଯୋଜନା ଅନୁଯାୟୀ ଆହତମାନଙ୍କୁ ୧ଲକ୍ଷ ଟଙ୍କା ଏବଂ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଗେହଲଟ ଘୋଷଣା କରିଛନ୍ତି। ଏତଦ୍‌ବ୍ୟତୀତ ସରକାର ୨ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ। ସିଲିଣ୍ଡର ବିସ୍ଫୋରଣ ଯୋଗୁ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ରକ୍ଷଣାବେକ୍ଷଣ ସମ୍ପର୍କରେ ସରକାର ଏଜେନ୍ସି ସହ ଆଲୋଚନା କରିବେ। ଗ୍ୟାସ ଏଜେନ୍ସି ସହିତ କଥାବାର୍ତ୍ତା କରିବା ସହିତ ପ୍ରତ୍ୟେକ ସମ୍ଭାବ୍ୟ ସାହାଯ୍ୟ ଯୋଗାଇଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେବଳ ସେତିକି ନୁହେଁ, ଜୟପୁରରୁ ଯୋଧପୁରକୁ ମଧ୍ୟ କିଛି ଡାକ୍ତର ପଠାଯିବ। ଯାହାଦ୍ୱାରା ସେମାନେ ଅନ୍ୟ ଡାକ୍ତରଙ୍କୁ ଚିକିତ୍ସାରେ ସାହାଯ୍ୟ କରିପାରିିବେ। ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ, କିନ୍ତୁ ସମସ୍ତେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ଏବଂ ମୃତ୍ୟୁସଂଖ୍ୟା ଆଉ ବୃଦ୍ଧି ନ ପାଉ ବୋଲି ଗେହଲଟ କହିଛନ୍ତି।

Share