ଜାଲ୍‌ ସାର୍ଟିଫିକେଟରେ ଚାକିରି: ଶିକ୍ଷୟିତ୍ରୀଙ୍କ ବିରୋଧରେ ଏତଲା ଦେଲେ ବିଇଓ

ଚଣ୍ଡିଖୋଲ,୨୮ା୪(ଡି.ଏନ.ଏ.): ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନ ରଇପୁର ପଞ୍ଚାୟତ ପାଥପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଜଣାପଡ଼ିବା ପରେ ତାଙ୍କ ନାମରେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ସବିତା ସାହୁ ବଡ଼ଚଣା ଥାନାରେ ଏତଲା ଦେଇଛନ୍ତି।
ସୂଚନା ଅନୁଯାୟୀ, ରଇପୁର ପ୍ରାଥମିକ ବିଦ୍ୟାଳୟରେ ଚାକିରି କରୁଥିବା ଶିକ୍ଷୟିତ୍ରୀ ମଞ୍ଜୁଲତା ନାୟକ ୨୦୧୧ରେ ଶିକ୍ଷକତା ଚାକିରି ଆରମ୍ଭ କରିଥିଲେ। ୨୦୧୭ ରେ ସେ ରେଗୁଲାର ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି। ତେବେ ଜାଲ୍‌ ସାର୍ଟିଫିକେଟ ଧରା ପଡ଼ିବା ପରେ ରାଜ୍ୟର ପ୍ରତ୍ୟେକ ବିଭାଗ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ମଞ୍ଜୁଲତାଙ୍କ ସାର୍ଟିଫିକେଟ ମାଧ୍ୟମିକ ବୋର୍ଡକୁ ପଠାଇ ତନଖି କରିବାରୁ ଏହା ଜାଲ୍‌ ବୋଲି ଜଣାପଡିଛି। ବୋର୍ଡ ପକ୍ଷରୁ ଜିଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆଧାରରେ ବୁଧବାର ବ୍ଲକ ଶିକ୍ଷାଧିକାରୀ ଥାନାରେ ଏତଲା ଦେଇଛନ୍ତି। ତେବେ ଗତ ବର୍ଷକ ତଳେ ଏହି ବ୍ଲକରେ ୩ ଜଣ ଶିକ୍ଷକ ସାର୍ଟିଫିକେଟ ଜାଲିଆତି କରି ମାର୍କ ବଢ଼ାଇଥିଲେ। ପଦୋନ୍ନତି ମଧ୍ୟ ପାଇଥିଲେ। ତାଙ୍କ ନାମରେ ଏତଲା ହୋଇଥିଲା। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନ ଥିଲା। କେବଳ ସେତିକି ନୁହେଁ ପୂର୍ବରୁ ଏଠାରେ ଥିବା ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇ ମଧ୍ୟ ଜାଲ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରୁଥିବା ନେଇ କିଛି ସାମାଜିକ କର୍ମୀ ଜିଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲାକୁ ବଦଳି କରି ଦିଆଯାଇଥିବା ଜଣାପଡିଛି। ତେଣୁ ପ୍ରକୃତ ତଦନ୍ତ କରାଗଲେ ଜାଲ୍‌ ସାର୍ଟିଫିକେଟରେ ଚାକିରି କରିଥିବା ବହୁ ଶିକ୍ଷୟିତ୍ରୀଶିକ୍ଷକ ଧରାପଡ଼ିବା ସମ୍ଭାବନା ରହିଛି ବୋଲି ଆଲୋଚନା ଜୋର ଧରିଛି।