ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୩ ଜଣ ମହିଳା ସାମିଲ ଥିବା ନେଇ ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ କବିସୂର୍ଯ୍ୟନଗର ବ୍ଲକ ପାଇକ ଯମୁନା ଗ୍ରାମର ଦୀପା ବେହେରା, ନାରାୟଣ ସେଠୀ, ପୁରୁଣା ଛତ୍ରପୁରର ବିଷ୍ଣୁପ୍ରିୟା ବେହେରା ଏବଂ ଅଗସ୍ତିନୂଆଗାଁର ସୁନିତା ଦାସ।

ମିଳିଥିବା ସୂଚନା ମୁତାବକ, ଗୁରୁବାର ଛତ୍ରପୁରର ଏକ ଘରୋଇ କଲ୍ୟାଣ ମଣ୍ଡପରେ ବିଭିନ୍ନ ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ପିଅନ, ଆକାଉଣ୍ଟାଣ୍ଟ ଆଦି ପଦବୀରେ ଚାକିରି ଦେବା ନାଁରେ ଇଣ୍ଟରଭ୍ୟୁ ଚାଲିଥିଲା। ଇଣ୍ଟରଭ୍ୟୁ ସମୟରେ ଆଶାୟୀ ପ୍ରାର୍ଥୀଙ୍କୁ ଅଧିକ ଟଙ୍କା ଦାବି କରାଯିବାରୁ ସନ୍ଦେହ ଉପୁଜିଥିଲା। ଏନେଇ ଆଶାୟୀ ପ୍ରାର୍ଥୀ ପୋଲିସକୁ ଖବର ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି କିଛି ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତମାନେ ଗତ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଛତ୍ରପୁର ସମେତ ଜିଲାର ବିଭିନ୍ନ ଅଞ୍ଚଳର ଯୁବତୀଯୁବକଙ୍କୁ ଚାକିରି ଦେବା ନାଁରେ ଠକେଇ କରୁଥିବା ଜଣାପଡ଼ିଛି। ଏପରିକି ନକଲି ନିଯୁକ୍ତିପତ୍ର ଓ ପରିଚୟପତ୍ର ଦେଇ ଆଶାୟୀଙ୍କଠାରୁ ଟଙ୍କା ଆଦାୟ କରୁଥିଲେ ବୋଲି ଥାନା ଅଧିକାରୀ କହିଛନ୍ତି।

ଏହି ସଂକ୍ରାନ୍ତରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ପୁତିଗୋପାଳପୁର ଅଞ୍ଚଳର ଇମ୍ରାନ ଖାନଙ୍କ ଅଭିଯୋଗ କ୍ରମେ ଛତ୍ରପୁର ଥାନାରେ ଏକ ମାମଲା(ନଂ.୪୨୦/୨୦୨୬) ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି। ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତଙ୍କଠାରୁ ନଗଦ ୨୫ ହଜାର ଟଙ୍କା, ଗୋଟିଏ ମଟରସାଇକେଲ, ୩ଟି ମୋବାଇଲ ଫୋନ, ନକଲି ନିଯୁକ୍ତିପତ୍ର ଓ ଆଇଡି କାର୍‌ ଜବତ କରାଯାଇଥିବା ଛତ୍ରପୁର ଥାନାଧିକାରୀ ମଲ୍ଲ ସୂଚନା ଦେଇଛନ୍ତି। ଏହି ଠକେଇର ଚେର କେତେଦୂର ଲମ୍ବିଛି, ଆଉ କେତେଜଣ ଏଥିରେ ସମ୍ପୃକ୍ତ ଅଛନ୍ତି ଏବଂ କେତେଜଣ ଆଶାୟୀଙ୍କଠାରୁ ଟଙ୍କା ନିଆଯାଇଛି, ସେ ଦିଗରେ ମଧ୍ୟ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି। ଆବଶ୍ୟକ ହେଲେ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Share