Categories: ଜାତୀୟ

କୋଭିଡ୍‌ ଯୁଦ୍ଧରେ ହାରିଗଲେ ୨୬/୧୧ ହିରୋ

ନୂଆଦିଲ୍ଲୀ,୧୯।୫: ଜାତୀୟ ସୁରକ୍ଷା ଗାର୍ଡ (ଏନ୍‌ଏସ୍‌ଜି)ର ପୂର୍ବତନ ମୁଖ୍ୟ ଜେକେ ଦତ୍ତଙ୍କ ମୃତ୍ୟୁର କାରଣ ସାଜିଛି ମହାମାରୀ। ୨୬/୧୧ ମୁମ୍ବାଇ ଆକ୍ରମଣରେ ଆତଙ୍କବାଦୀଙ୍କ ନିପାତ ପାଇଁ ‘ଅପରେଶନ୍ସ ବ୍ଲାକ ଟାର୍ନାଡୋ’ର ସେ ନେଇଥିଲେ ନେତୃତ୍ୱ। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା।

କୋଭିଡ୍‌ରେ ଆକ୍ରାନ୍ତ ହେବା ପରେ ସେ ଗୁରଗାଓଁ ସ୍ଥିତ ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବୁଧବାର ଅପରାହ୍ନ ୩ଟା ୩୦ରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ କୁହାଯାଇଛି। ୧୯୭୧ ବ୍ୟାଚ୍‌ ପଶ୍ଚିମବଙ୍ଗ କ୍ୟାଡର ଆଇପିଏସ୍‌ ଅଫିସର ଜେକେ ଦତ୍ତ ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଏନ୍‌ଏସ୍‌ଜି ମୁଖ୍ୟ ଦାୟିତ୍ୱରେ ଥିଲେ। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ)ର ମୁଖ୍ୟ ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ।

୨୦୦୮ ନଭେମ୍ବର ୨୬ ତାରିଖରେ ଲଶକର-ଇ-ତୋଇବାର ୧୦ ଆତଙ୍କବାଦୀ ସମୂଦ୍ର ପଥ ଦେଇ ପଶିଥିଲେ ମୁମ୍ବାଇରେ। ମହାରାଷ୍ଟ୍ରର ରାଜଧାନୀର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ। ନଭେମ୍ବର ୨୮ ତାରିଖ ସୁଦ୍ଧା ପ୍ରସିଦ୍ଧ ତାଜ ହୋଟେଲ ଛଡ଼ା ସମସ୍ତ ସ୍ଥାନକୁ ସୁରକ୍ଷିତ କରି ଦିଆଯାଇଥିଲା। ଏହାର ପରଦିନ ଏନ୍‌ଏସ୍‌ଜି କମାଣ୍ଡୋମାନେ ହୋଟେଲରେ ଥିବା ଆତଙ୍କବାଦୀଙ୍କୁ ନିପାତକରିଥିଲେ। ଏହି ଆକ୍ରମଣରେ ୧୬୬ ଜଣଙ୍କ ଜୀବନ ଯାଇଥିଲା। ଜୀବନ୍ତ ଧରା ପଡ଼ିଥିବା ଏକମାତ୍ର ଆତଙ୍କବାଦୀ ଅଜମଲ କଶାବଙ୍କୁ ୨୦୧୨ରେ ଦିଆଯାଇଥିଲା ମୃତ୍ୟୁ ଦଣ୍ଡ।

Share