ଦିଗପହଣ୍ଡି,୨୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଉପକଣ୍ଠ କୁଶପଡ଼ାଗ୍ରାମ ନିକଟ କମାପଡ଼ିଆ ସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଗୁରୁବାର ଉଦ୍ଯାପିତ ହୋଇଛି। ୫ ଦିନ ବ୍ୟାପୀ ଚାଲିଥିବା ଶତରୁଦ୍ର ମହାଯଜ୍ଞ ଓ ନାମଯଜ୍ଞ ସାରେ ଶତାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ପୂର୍ଣ୍ଣାହୁତି ଦିଆଯାଇଛି।
ପଣ୍ଡିତ ଭବାନୀ ଶଙ୍କର ତ୍ରିପାଠୀଙ୍କ ପୌରିହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁସଂଖ୍ୟକ ପଣ୍ଡିତ, ପୁରୋହିତ, ଯାଜ୍ଞିକମାନଙ୍କ ପରିଚାଳନାରେ ଯଜ୍ଞକୁଣ୍ଡ ସ୍ଥଳରେ ମୁଖ୍ୟକର୍ତ୍ତା ଭାବେ ଗୌରାଙ୍ଗ ସାହୁ ଓ ତାଙ୍କ ସହଧର୍ମିଣୀ କୁମୁଦିନୀ ସାହୁଙ୍କ ସମେତ ଦିଗପହଣ୍ଡି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଓ ତାଙ୍କ ସହଧର୍ମିଣୀ ସଙ୍ଗୀତା ତ୍ରିପାଠୀ, ଶିକ୍ଷକ ସୁବ୍ରତ ପାଢୀ ଓ ସଂଯୁକ୍ତା ପାଳ, ପ୍ରଦୀପ ପଣ୍ଡା ଓ ମନୀକା ପଣ୍ଡା, ରମା ବଲ୍ଲଭ ପଣ୍ଡା ଓ ସୁକାନ୍ତି ପଣ୍ଡା ପ୍ରମୁଖ ଯଜ୍ଞକର୍ତ୍ତା ରୂପେ କୁଣ୍ଡରେ ଘୃତ ଦହନ କରିଥିଲେ।
ପରେ ଦେବତାଙ୍କ ନଗର ପରିକ୍ରମା, ସିଂହାସନ ଆରୋହଣ ପରେ ମହାଯଜ୍ଞ ସ୍ଥଳରେ ଦଧିଭାଣ୍ଡ ଭଞ୍ଜନ କରାଯାଇ ମହାମନ୍ତ୍ର ଧ୍ୱନିରେ ମହାଯଜ୍ଞ ପୂର୍ଣ୍ଣାହୁତି ହୋଇଥିଲା। ଦିଗପହଣ୍ଡି ସହର ସମେତ ବିଭିନ୍ନ ଗ୍ରାମରୁ ଆସିଥିବା ସହସ୍ରାଧିକ ଶ୍ରଦ୍ଧାଳୁ ସଙ୍କୀର୍ତ୍ତନ କରି ମନ୍ଦିର ବେଢ଼ା ପରିକ୍ରମା କରିଥିଲେ।
ଯଜ୍ଞ ପରିଚାଳନା କମିଟି ସଭାପତି ତଥା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, ଉପସଭାପତି ବସନ୍ତ ପଟ୍ଟନାୟକ, କେ. ତାରକେଶ୍ୱର ଦୋରା , ଏସ୍ .ଗାନ୍ଧୀ, ସୁଶାନ୍ତ ପ୍ରଧାନ, ସମ୍ପାଦକ ସୁରେନ୍ଦ୍ର ବିଷୋୟୀ, ସହ-ସମ୍ପାଦକ ବିପ୍ରଚରଣ ସେଠୀ, ନିରାକାର ପ୍ରଧାନ, ହର୍ଷ ପ୍ରଧାନ ଏବଂ କୋଷାଧ୍ୟକ୍ଷ କୋରେଶୁ ସେଠୀ, ଉଦ୍ୟୋକ୍ତା ଅମ୍ବିକା ପ୍ରସାଦ ସେଠୀ, କାର୍ଯ୍ୟକର୍ତ୍ତା ଅର୍ଦ୍ଦୁ, ଗୋବିନ୍ଦ, ଭଗବାନ ଦୋରା, ଶଙ୍କର ପାଢ଼ୀ, କ୍ଷେତ୍ରବାସୀ ପ୍ରଧାନ, ପଞ୍ଚାନନ ସ୍ବାଇଁ, ଉପଦେଷ୍ଟା ପୂର୍ବତନ ଏନ୍ଏସି ଅଧ୍ୟକ୍ଷ ଭି.ରବି ନାରାୟଣ ରାଜୁ, ପ୍ରମୋଦ ପାଣିଗ୍ରାହୀ, ଭି.ଧର୍ମ ରାଜୁ, ରାମନାଥ ବିଷୋୟୀ, କାଉନସିଲର ଦୀପକ ମିଶ୍ର, ନୀଳମାଧବ ଗୌଡ଼, ବିଚିତ୍ରାନନ୍ଦ ପଟ୍ଟନାୟକ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ହେଲେ ବୁଧବାର ରାତିରେ କାଳ ବୈଶାଖୀ ପ୍ରଭାବରେ ପ୍ରାୟ ୧ ଘଣ୍ଟା ଧରି ଝଡ଼ ତୋଫାନ, ବର୍ଷା ପବନରେ ମହାଯଜ୍ଞର ସ୍ବାଗତ ତୋରଣ ଭାଙ୍ଗି ପଡ଼ିବା ସହ ମୀନାବଜାର, ରାମଦୋଳି ସମେତ ବିଭିନ୍ନ ଉଠା ଦୋକାନୀଙ୍କ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଥିଲା।