ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍ ସହ ୬ ମାସର ମାଗଣା ରିଚାର୍ଜ ସୁବିଧା ରହିଛି । ଏହି ଅବଧି ମଧ୍ୟରେ ଗ୍ରାହକମାନେ ପ୍ରତି ମାସରେ ୧୪ ଜିବି ହାଇସ୍ପିଡ୍ ଡାଟା ଏବଂ ଅସୀମିତ ଏଚ୍ଡି ଭଏସ୍ କଲିଂ ସୁବିଧା ପାଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କମ୍ପାନୀ ବିଶେଷ ଭାବରେ ସେହି ଗ୍ରାହକମାନଙ୍କୁ ଦୃଷ୍ଟିରେ ରଖି ଏହି ଅଫର ଆରମ୍ଭ କରିଛି, ଯେଉଁମାନେ ଏବେ ମଧ୍ୟ ୨ଜି ଫିଚର ଫୋନ ବ୍ୟବହାର କରୁଛନ୍ତି ।
ଜିଓ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏଭଳି ଗ୍ରାହକମାନେ ସାଧାରଣତଃ ରିଚାର୍ଜ ପାଇଁ ମାସକୁ ଅତି କମ୍ରେ ପ୍ରାୟ ୧୯୯ ଟଙ୍କା ଖର୍ଚ୍ଚ କରନ୍ତି । ୬ ମାସରେ ଏହି ଖର୍ଚ୍ଚ ରାଶି ପ୍ରାୟ ୧୨୦୦ ଟଙ୍କା ହୋଇଥାଏ । ଏହାକୁ ବିଚାରକୁ ନେଲେ ଜିଓଭାରତ ସହ ୧୪୯୯ ଟଙ୍କାରେ ଫୋନ୍ ଏବଂ ୬ ମାସର ରିଚାର୍ଜ ଉଭୟ ପାଇବା ଦ୍ୱାରା ୨ଜିରୁ ୪ଜିକୁ ଉନ୍ନୀତ ହେବାର ପ୍ରକୃତ ଅତିରିକ୍ତ ଖର୍ଚ୍ଚ ମାତ୍ର ୨୯୯ ଟଙ୍କା ହେବ ।