ପୁଟିନ୍‌ଙ୍କ ରାସ୍ତା ଆପଣେଇବାକୁ ଚାହୁଁଛନ୍ତି ଜିନ୍‌ପିଙ୍ଗ୍‌, ଭିଏତ୍‌ନାମ ସୀମାରେ ଚାଇନା ଯୁଦ୍ଧପୋତ…

ବେଜିଂ, ୬।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ରୁଷିଆ ପ୍ରତିପକ୍ଷ ବ୍ଲାଡିମୀର ପୁଟିନ୍‌ଙ୍କ ରାସ୍ତା ଆପଣେଇବାକୁ ଚାହୁଁଛନ୍ତି। ଚାଇନା ଦକ୍ଷିଣ ଚୀନ ସାଗରରେ ଏହାର ଦକ୍ଷିଣ ହେନାନ ପ୍ରଦେଶ ଏବଂ ଭିଏତନାମ ମଧ୍ୟରେ ଥିବା ଅଞ୍ଚଳରେ ସାମରିକ ଅଭ୍ୟାସ କରୁଛି।

ବ୍ୟାଙ୍କକ ପୋଷ୍ଟ ରିପୋର୍ଟ କରିଛି ଯେ ବେଜିଂର ଯୁଦ୍ଧପୋତଗୁଡ଼ିକ ଏହି ଅଞ୍ଚଳରେ ସାମରିକ ଅଭ୍ୟାସ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଜାରି ରଖିବେ ବୋଲି ହେନାନ ସାମୁଦ୍ରିକ ସୁରକ୍ଷା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ଅଞ୍ଚଳ ଭିଏତନାମର ୨୦୦ ନ୍ୟୁଟିକାଲ ମାଇଲ ଏକ୍ସକ୍ଲୁସିଭ ଇକୋନୋମିକ ଜୋନ ମଧ୍ୟରେ ରହିଛି।

ବିବାଦୀୟ ଜଳପଥର ଏକ ବଡ଼ ଅଂଶ ଚାଇନା ଦାବି କରିଆସୁଛି। ଏହି ଅଞ୍ଚଳର କିଛି ରିଫ୍‌ ଏବଂ ଦ୍ୱୀପପୁଞ୍ଜରେ କୃତ୍ରିମ ଦ୍ୱୀପ ମଧ୍ୟ ଚାଇନା ପକ୍ଷରୁ ନିର୍ମାଣ କରାଯାଇଛି। ଆମେରିକା ସମେତ ବହୁ ଦେଶ ଏହି ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି।

ବିଶେଷଜ୍ଞମାନେ କହିଛନ୍ତି ଯେ, ଚାଇନାର ଦାବି ୧୯୮୨ ମସିହା ସାଗର ସମ୍ମିଳନୀ ଆଇନ ଅନୁସାରେ ଅସଙ୍ଗତ। ଅନ୍ତର୍ଜାତୀୟ ନିୟମ ଅନୁରୂପ ସାମୁଦ୍ରିକ ଦାବିକୁ ସୁସଂଗତ କରିବାକୁ ଆମେରିକା ବାରମ୍ବାର ଚାଇନାକୁ ଆହ୍ବାନ କରିଛି।

ଦକ୍ଷିଣ ଚୀନ ସାଗରରେ ବେଆଇନ ତଥା ଜୋର ଜବରଦସ୍ତ କାର୍ଯ୍ୟକଳାପକୁ ବନ୍ଦ କରିବାକୁ ମଧ୍ୟ ଚାଇନାକୁ କୁହାଯାଇଛି। ତେବେ ଚାଇନା ଏହାକୁ ଅଣଦେଖା କରି ନିଜର ବିସ୍ତାରବାଦୀ ନୀତିକୁ ଗୁରୁତ୍ୱ ପ୍ରଦାନ କରୁଥିବା ଅନ୍ତର୍ଜାତୀୟସ୍ତରରେ ଅଭିଯୋଗ ହେଉଛି।

Share