Categories: ଜାତୀୟ

ଗୀତାରେ ମଧ୍ୟ ରହିଛି ଜିହାଦ

ନୂଆଦିଲ୍ଲୀ,୨୨ା୧୦: ଜିହାଦ ଚିନ୍ତାଧାରା କେବଳ ଇସ୍‌ଲାମ ଧର୍ମରେ ନାହିଁ, ଭଗବତ ଗୀତା ଏବଂ ଖ୍ରୀଷ୍ଟିଆନ୍‌ ଧର୍ମରେ ମଧ୍ୟ ଏହା ରହିଛି ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିବରାଜ ପାଟିଲ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଛନ୍ତି। ତାଙ୍କ ମନ୍ତବ୍ୟକୁ ନେଇ ଭାଜପା କଂଗ୍ରେସକୁ ସମାଲୋଚନା କରିଛି। କଂଗ୍ରେସ ଭୋଟ ବ୍ୟାଙ୍କ ରାଜନୀତି କରୁଥିବା ଭାଜପା କହିଛି। ଅନ୍ୟ ପକ୍ଷରେ ପାଟିଲଙ୍କ ମନ୍ତବ୍ୟରୁ କଂଗ୍ରେସ ନିଜକୁ ଦୂରେଇ ରଖିଛି।
ଗୁରୁବାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୋହସିନା କିଦ୍‌ଓ୍ବାଇଙ୍କ ଆତ୍ମଜୀବନୀ ଉନ୍ମୋଚନ ଅବସରରେ ଉଦ୍‌ବୋଧନ ଦେଇ ପାଟିଲ କହିଥିଲେ, ଇସ୍‌ଲାମ ଧର୍ମରେ ଜିହାଦକୁ ନେଇ ବହୁ ବିତର୍କ ହେଉଛି। ଏଭଳି ଚିନ୍ତାଧାରା ଭଲ ଉଦ୍ଦେଶ୍ୟରେ ଓ ଭଲ କାର୍ଯ୍ୟ ପାଇଁ ରହିଥିବାବେଳେ ଏହାକୁ ଲୋକେ ଠିକ୍‌ ଭାବରେ ବୁଝିପାରୁ ନ ଥିବାରୁ ବଳପ୍ରୟୋଗ ବୋଲି କହୁଛନ୍ତି। କେବଳ କୋରାନରେ ଜିହାଦ ନାହିଁ, ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜିହାଦ ପାଇଁ କହିଛନ୍ତି। ଖ୍ରୀଷ୍ଟିଆନରେ ମଧ୍ୟ ଜିହାଦ ରହିଥିବା ପାଟିଲ ଦାବି କରିଛନ୍ତି। ବହୁ ବୁଝାଇବା ପରେ ମଧ୍ୟ ଯଦି ଲୋକେ ନ ବୁଝି ଅସ୍ତ୍ର ନେଇ ଆସନ୍ତି, ତେବେ ତୁମେ ପଳାଇଯାଇପାରିବ ନାହଁ। ଏହାକୁ ଜିହାଦ କିମ୍ବା ଭୁଲ୍‌ କୁହାଯାଇପାରିବ ନାହିଁ ବୋଲି ୮୭ ବର୍ଷୀୟ କଂଗ୍ରେସ ନେତା କହିଥିଲେ। ତାଙ୍କର ଏଭଳି ମନ୍ତବ୍ୟ କଂଗ୍ରେସର ବିକୃତ ଓ ଘୃଣିତ ମନୋଭାବକୁ ସ୍ପଷ୍ଟ କରୁଛି ବୋଲି ଭାଜପା ଏମ୍‌ପି ସୁଧାଂଶୁ ତ୍ରିବେଦୀ କହିଛନ୍ତି। ସେମାନଙ୍କ ମନ ଭୋଟବ୍ୟାଙ୍କ ଅଳିଆ ଭରି ରହିଥିବା ଭାଜପା ନେତା କହିଛନ୍ତି। ପାଟିଲଙ୍କ ମନ୍ତବ୍ୟ ଉପରେ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ସୋନିଆ ଗାନ୍ଧୀ ସ୍ପଷ୍ଟୀକରଣ ଦେବାକୁ ସେ ଆହ୍ବାନ ଦେଇଛନ୍ତି।

Share