Categories: ଜାତୀୟ

ଜିଗ୍ନେଶ ମେଭାନିଙ୍କୁ ୬ ମାସ ଜେଲ

ନୂଆଦିଲ୍ଲୀ,୧୭।୯: ୨୦୧୬ରେ ଦଙ୍ଗା ସୃଷ୍ଟି ଏବଂ ବେଆଇନ ଭାବେ ଏକତ୍ର ହେବା ମାମଲାରେ ଅହମଦାବାଦର ଏକ ଅଦାଲତ ଶୁକ୍ରବାର ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଜିଗ୍ନେଶ ମେଭାନି ଏବଂ ଅନ୍ୟ ୧୮ ଜଣଙ୍କୁ ୬ ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଗୁଜରାଟ ବିଶ୍ୱବିଦ୍ୟାଳୟର ଏକ ନିର୍ମାଣାଧୀନ ବିଲ୍ଡିଂକୁ ବି.ଆର୍‌. ଆମ୍ବେଡ୍‌କରଙ୍କ ନାମରେ ନାମିତ କରିବା ଦାବିରେ ୨୦୧୬ରେ ମେଭାନିଙ୍କ ସହ ରାଷ୍ଟ୍ରୀୟ ଦଳିତ ଅଧିକାର ମଞ୍ଚର ସଦସ୍ୟମାନେ ବିକ୍ଷୋଭ କରିଥିଲେ। ଏହି ଘଟଣାରେ ମୋଟ ୨୦ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ବିରୋଧରେ ଦଙ୍ଗା ସୃଷ୍ଟି କରିବା ଏବଂ ବେଆଇନ ଭାବେ ଏକତ୍ର ହେବା ନେଇ ମାମଲା ରୁଜୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ଇତିମଧ୍ୟରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୧୯ ଜଣଙ୍କୁ ୬ ମାସ ଲେଖାଏ ଜେଲଦଣ୍ଡ ହୋଇଛି। ଏଥିସହିତ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟେଟ୍‌ ପି.ଏନ୍‌. ଗୋସ୍ବାମୀ ଅଭିଯୁକ୍ତମାନଙ୍କ ଉପରେ ଜରିମାନା ଲଗାଇଛନ୍ତି। ଅକ୍ଟୋବର ୧୭ ମଧ୍ୟରେ ସେମାନେ ଦଣ୍ଡାଦେଶ ବିରୋଧରେ ଉପର କୋର୍ଟରେ ଆବେଦନ କରିପାରିବେ।
ଦଳିତ ନେତା ମେଭାନି ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ସମର୍ଥତ୍ତ ସ୍ବାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ପରେ ତାଙ୍କୁ କଂଗ୍ରେସ ଗୁଜରାଟ ଶାଖାର କାର୍ଯ୍ୟକାରୀ ସଭାପତି କରାଯାଇଥିଲା। ଚଳିତ ବର୍ଷ ଶେଷ ଭାଗରେ ଗୁଜରାଟ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ମେଭାନିଙ୍କୁ ଜେଲଦଣ୍ଡ ଦଳ ପାଇଁ ବଡ଼ ଝଟ୍‌କା ହୋଇଛି। ୨୦୧୭ରେ ବିନା ଅନୁମତିରେ ରାଲି ବାହାର କରିବା ମାମଲାରେ ଗତ ମେ’ ମାସରେ ମେଭାନିଙ୍କୁ ୩ ମାସ ଜେଲଦଣ୍ଡ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିବା ଏବଂ ଅନ୍ୟ ଏକ ମାମଲାରେ ଗତ ଏପ୍ରିଲରେ ମେଭାନିଙ୍କୁ ଆସାମ ପୋଲିସ ଗିରଫ କରିଥିଲା। ଉଭୟ ମାମଲାରେ ତାଙ୍କୁ ଜାମିନ ମିଳିଥିଲା।

Share