ଜାଇକା ପ୍ରକଳ୍ପ ବନ୍ଦ ଆଶଙ୍କା: ଜାପାନ ଋଣ ଅର୍ଥରେ ୨୦ ବର୍ଷ ହେଲା ଚାଲିଛି ଜଙ୍ଗଲର ବିକାଶ

ଭଞ୍ଜନଗର,୧୭ା୧୦(ବାବୁଲା ପ୍ରଧାନ): ଜଙ୍ଗଲର ସୁରକ୍ଷା, ଅବକ୍ଷୟପ୍ରାପ୍ତ ବନାଞ୍ଚଳର ପୁନରୁଦ୍ଧାର, ଭିତ୍ତିଭୂମିର ବିକାଶ ଏବଂ ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଲକ୍ଷ୍ୟରେ ଓଡ଼ିଶାରେ ଦୀର୍ଘ ୨୦ ବର୍ଷ ଧରି ଜାପାନ ଅନ୍ତର୍ଜାତୀୟ ସହଯୋଗ ସଂସ୍ଥା (ଜାଇକା) ଦ୍ୱାରା ଋଣ ସହାୟତାରେ ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଆସୁଛି। ଏଥିସହ ଅନ୍ୟାନ୍ୟ ଯୋଜନାରୁ ଆସୁଥିବା ଅର୍ଥ ମଧ୍ୟ ଜଙ୍ଗଲ ଉନ୍ନତିରେ ବ୍ୟୟ ହେଉଛି। ଜାଇକା ପ୍ରକଳ୍ପରଦୁଇଟି ପର୍ଯ୍ୟାୟରେ ୧୮୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ରାଜ୍ୟରେ ହେଉଛି। ଜଙ୍ଗଲ ସୁରକ୍ଷା ସହ ଗ୍ରାମାଞ୍ଚଳର ଜୀବିକା ବିକାଶ ଉପରେ ଏହା ଗୁରୁତ୍ୱ ଦେଇଆସୁଛି। ୨୦୨୭ ଏପ୍ରିଲରେ ପ୍ରକଳ୍ପ ସରିବ। ଏହି ପରିପ୍ରେକ୍ଷୀରେ ଗତ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ଜାଇକା ପ୍ରକଳ୍ପ ମାଧ୍ୟମରେ ନିୟୋଜିତ ବନ ସହଯୋଗୀ, ବନ ସହଯୋଗୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ପ୍ରକଳ୍ପ ଅବଧି ଯଦି ବୃଦ୍ଧି ନ ପାଇବ ତେବେ ସମସ୍ତ କାର୍ଯ୍ୟ କିଭଳି ସ୍ବାଭାବିକ ଭାବେ ଚାଲିବ, ନିଯୁକ୍ତିରୁ ବଞ୍ଚିତ କର୍ମଚାରୀଙ୍କ କାର୍ଯ୍ୟ କିଏ କେମିତି କରିବ ସେନେଇ ମଧ୍ୟ ବୈଠକରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା। ପ୍ରକଳ୍ପ ଅବଧି ଯଦି ବୃଦ୍ଧି ନ ପାଇବ ତେବେ ଏହାର ପ୍ରଭାବ ଜଙ୍ଗଲ ଉପରେ ପଡ଼ିବା ସମ୍ଭାବନା ରହିଛି। ତେଣୁ ତାକୁ ଧରି ବନ ବିଭାଗ ଆଗୁଆ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଏଥିରେ ଅଧ୍ୟକ୍ଷତା କରି ପ୍ରକଳ୍ପର କାର୍ଯ୍ୟକାରିତା, ଜଙ୍ଗଲ ସୁରକ୍ଷା ଓ ଆଗାମୀ ଦିନର ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଜାଇକା ପ୍ରକଳ୍ପର ଅବଧି ଆଉ ତିନି ବର୍ଷ ବୃଦ୍ଧି ହେବାର ସମ୍ଭାବନା ଅଛି ବୋଲି ସେ ସୂଚନା ଦେଇଥିଲେ। ଏଥିସହ ସେ କହିଥିଲେ ଯେ, ଜନସାଧାରଣଙ୍କ ମଧ୍ୟରେ ଜଙ୍ଗଲ ସୁରକ୍ଷା ସମ୍ପର୍କିତ ସଚେତନତା ବୃଦ୍ଧି ପାଇଛି। ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ଦୃଢ଼ ହେବା ଫଳରେ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା କାର୍ଯ୍ୟ ଅଧିକ ସୁଦୃଢ଼ ହୋଇପାରିଛି। ବନ ସହଯୋଗୀମାନେ ଜଙ୍ଗଲ ସୁରକ୍ଷା, ବୃକ୍ଷରୋପଣ ଓ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି ବୋଲି ଡିଏଫ୍‌ଓ କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥ୍ବୀରାଜ ପ୍ରଧାନ, ମୂଜାଗଡ଼ ରେଞ୍ଜର ସରୋଜ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୪ଟି ଡିଭିଜନରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ (OFSDP-I) ୨୦୦୬୦୭ରେ ଆରମ୍ଭ ହୋଇ ୨୦୧୪-୧୫ରେ ଶେଷ ହୋଇଥିଲା। ଏହି ପର୍ଯ୍ୟାୟର ପ୍ରାୟ ୮୦୨.୩୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଅନୁଗୋଳ, ପାରଳାଖେମୁଣ୍ଡି, ଫୁଲବାଣୀ, ବାଲିଗୁଡ଼ା, କୋରାପୁଟ, ଜୟପୁର, ରାୟଗଡ଼ା, ଦେବଗଡ଼, କେନ୍ଦୁଝର, ବଣାଇ, ରାଉରକେଲା, ସାତକୋଶିଆ ବନ୍ୟପ୍ରାଣୀ, ବାଲେଶ୍ୱର ବନ୍ୟପ୍ରାଣୀ ଓ ଭଦ୍ରକ ବନ୍ୟପ୍ରାଣୀ ଡିଭିଜନରେ ପ୍ରଥମ ପର୍ଯ୍ୟାୟ ରେ ଏହା କାର୍ଯ୍ୟକାରୀ ହୋଇଥିଲା। ଯୋଜନାର ସଫଳତା ଯୋଗୁ ପୁଣି ଜାଇକା ପ୍ରକଳ୍ପ ଦ୍ୱିତୀୟ ଯୋଜନା ହୋଇଥିଲା। ଜଙ୍ଗଲର ପୁନରୁଦ୍ଧାର, ବୃକ୍ଷରୋପଣ, ଜଳ ଓ ମୃତ୍ତିକା ସଂରକ୍ଷଣ ସହ ଜନସହଭାଗିତାକୁ ଏଥିରେ ଗୁରୁତ୍ୱ ଦିଆଯାଇଥିଲା।
ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୪ଟି ବନ ଓ ବନ୍ୟପ୍ରାଣୀ ନୂଆ ଡିଭିଜନକୁ ସାମିଲ କରାଯାଇଥିଲା। ୨୦୧୭ ଦ୍ୱିତୀୟ ପର୍ଯ୍ୟାୟ (OFSDP-II) ଆରମ୍ଭ ହୋଇଥିଲା। ଏହାର ମୋଟ୍‌ ପ୍ରକଳ୍ପ ବ୍ୟୟ ପ୍ରାୟ ୧,୦୦୦.୩୦ କୋଟି ଟଙ୍କା ଥିଲା। ଏହି ପର୍ଯ୍ୟାୟରେ ବାରିପଦା, ରାଇରଙ୍ଗପୁର, କରଞ୍ଜିଆ, ଢେଙ୍କାନାଳ, ଆଠମଲ୍ଲିକ, ଘୁମୁସର ଉତ୍ତର, ଘୁମୁସର ଦକ୍ଷିଣ, ବୌଦ୍ଧ, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାମରା ବନ୍ୟପ୍ରାଣୀ ଓ ରାଜନଗର ବନ୍ୟପ୍ରାଣୀ ଡିଭିଜନକୁ ସାମିଲ କରାଯାଇଛି।

୨୦୨୨-୨୩ର ବାର୍ଷିକ ରିପୋର୍ଟ ଅନୁଯାୟୀ, ଏହି ପ୍ରକଳ୍ପ ଅଧୀନରେ ୧,୨୧୧ଟି ବନ ସୁରକ୍ଷା ସମିତି ରହିଥିବାବେଳେ ପ୍ରାୟ ୩,୬୦୦ଟି ମହିଳା ସୱୟଂ ସହାୟକ ଗୋଷ୍ଠୀକୁ ଜୀବିକା ବିକାଶ କାର୍ଯ୍ୟରେ ଯୋଡ଼ିବାର ଯୋଜନା ରହିଛି। ବନଜାତ ଦ୍ରବ୍ୟର ସଂଗ୍ରହ ଓ ବିପଣନ, ଆୟବର୍ଦ୍ଧକ କାର୍ଯ୍ୟକ୍ରମ, ଗ୍ରାମୀଣ ଭିତ୍ତିଭୂମି ଏବଂ ସ୍ଥାନୀୟ ଲୋକଙ୍କ ଆର୍ଥିକ ସ୍ବାବଲମ୍ବନ ଏହାର ଅନ୍ୟତମ ଲକ୍ଷ୍ୟ। ଜାଇକାର ଆର୍ଥିକ ସହଯୋଗ ସହ ରାଜ୍ୟ ସରକାର ମଧ୍ୟ ଏଥିରେ ଅଂଶୀଦାର ରହିଛନ୍ତି। ଜାଇକା ସହାୟତାପ୍ରାପ୍ତ ଦ୍ୱିତୀୟ ପର୍ଯ୍ୟାୟର ମୂଳ ଅବଧି ୨୦୨୬୨୭ରେ ଶେଷ ହେବାକୁ ଥିବାବେଳେ ଏହାକୁ ୨୦୨୭ରୁ ୨୦୩୦ ପର୍ଯ୍ୟନ୍ତ ଆଉ ତିନି ବର୍ଷ ବୃଦ୍ଧି କରିବା ପ୍ରସ୍ତାବକୁ ଜୁଲାଇ ୨୦୨୬ରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ସୋସାଇଟିର ଗଭର୍ଣ୍ଣିଂ ବଡି ଅନୁମୋଦନ କରିଥିବା ସୂଚନା ମିଳିଛି। ଏଥିପାଇଁ ବିଧିବଦ୍ଧ ସରକାରୀ ଅନୁମୋଦନ ଆବଶ୍ୟକ ରହିଛି। ଆଗାମୀ ଦିନରେ ଦୀର୍ଘମିଆଦି ଯୋଜନା ଅନୁଯାୟୀ ଜଙ୍ଗଲ ସୁରକ୍ଷା ସହ ଲୋକଙ୍କ ଆର୍ଥିକ ବିକାଶ, ବନଜାତ ସମ୍ପଦର ସଦୁପଯୋଗ ଓ ପରିବେଶ ସନ୍ତୁଳନ ରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ। ଘୁମୁସର ଉତ୍ତର ବନଖଣ୍ଡରେ ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ସହଭାଗିତାରେ ଜଙ୍ଗଲ ସୁରକ୍ଷାରେ ଯେଉଁ ଅଗ୍ରଗତି ହୋଇଛି, ତାହାକୁ ଆଗକୁ ନେବା ସହ ଆଗାମୀ ଦିନରେ ଅଧିକ ବନାଞ୍ଚଳର ପୁନରୁଦ୍ଧାର ଓ ଜୀବିକା ବିକାଶ ଉପରେ ଗୁରୁତ୍ୱ ରହିବ।

Dharitri – Odisha’s No.1 Odia Daily

Share