ଜବରଦଖଲରେ ଝୋଟେଶ୍ୱର ମନ୍ଦିର ଜମି

ମଙ୍ଗୁଳି-ଜଗତପୁର,୧୧୪(ଡି.ଏନ୍‌.ଏ.): ଚୌଦ୍ୱାର ପୌରପାଳିକା ଅଧୀନ ୬ନଂ. ୱାର୍ଡ ମୁଣ୍ଡମାଳ ଗ୍ରାମରେ ଥିବା ବହୁ ପୁରାତନ ଝୋଟେଶ୍ୱର ମନ୍ଦିର ଜମିକୁ ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତି ଜବରଦଖଲ କରିଛନ୍ତି। ସେମାନଙ୍କ କବଳରୁ ଏହି ଜମି ମୁକୁଳାଇବା ପାଇଁ ଗ୍ରାମବାସୀ ବାରମ୍ବାର ତହସିଲ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଫଳରେ ମନ୍ଦିର ମାର୍ଫତଦାର ଏବଂ ଗ୍ରାମବାସୀ କଟକ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ମନ୍ଦିର ଜମିକୁ କେତେଜଣ ଅସାଧୁ ବ୍ୟକ୍ତି ଜବରଦଖଲ କରି ଗୃହ ଓ ରାସ୍ତା ନିର୍ମାଣ କରିଛନ୍ତି। ଜବର ଦଖଲ ନ ହଟିଲେ ଭବିଷ୍ୟତରେ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବାଧାପ୍ରାପ୍ତ ହେବ। ଅପରପକ୍ଷରେ ଜବରଦଖଲକାରୀଙ୍କୁ ଗ୍ରାମବାସୀ ପ୍ରତିବାଦ କଲେ ହତ୍ୟା ଧମକ ମିଳୁଛି। ଅଭିଯୋଗ ପାଇବା ପରେ ଗତ ୫ ତାରିଖରେ ମନ୍ଦିର ଜମି ମାପଚୁପ କରି ତୁରନ୍ତ ମାର୍ଫତଦାରଙ୍କ ଦାୟିତ୍ୱରେ ଦେବା ପାଇଁ ଜିଲାପାଳ ଭବାନୀ ଶଙ୍କର ଚୟନୀ ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଚୌଧୁରୀ ପ୍ରଜ୍ଞାନନ୍ଦ ଦାସଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ତହସିଲଦାର ସ୍ଥାନୀୟ ଆର୍‌ଆଇଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଧାର୍ଯ୍ୟ ତାରିଖରେ ତହସିଲ ପକ୍ଷରୁ ଜମି ମାପଚୁପ କରାଯାଇ ନଥିଲା। ଫଳରେ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରି ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ନାରାୟଣ ମହାରଣାଙ୍କୁ ସୋମବାର ଲିଖିତ ଆକାରରେ ଜଣାଇଥିଲେ। ଏ ନେଇ ଅତିରିକ୍ତ ତହସିଲଦାର ମହାରଣା କହିଛନ୍ତି, ଆରଆଇଙ୍କୁ ଜ୍ୱର ହେଇଥିବାରୁ ସେ ଛୁଟିରେ ଥିଲେ। ସେଥିପାଇଁ ଧାର୍ଯ୍ୟଦିନ ମାପଚୁପ କରାଯାଇପାରିନାହିଁ। ଆସନ୍ତା ୧୦ଦିନ ମଧ୍ୟରେ ମନ୍ଦିର ଜମି ମାପଚୁପ କରାଯିବ। ବେଆଇନ ଭାବେ ମନ୍ଦିର ଜମି ଜବରଦଖଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ। ଅତିରିକ୍ତ ତହସିଲଦାରଙ୍କ ସହ ଆଲୋଚନାବେଳେ ଗ୍ରାମର ରାମଚନ୍ଦ୍ର ଶତପଥୀ, ଅମରଜିତ୍‌ କର, ସଞ୍ଜୟ କୁମାର ଜେନା, ହୃଷୀକେଶ କର, ରମେଶ କର, ହୃଦାନନ୍ଦ ମହାନ୍ତି, ସଞ୍ଜୀତ ମହାନ୍ତି, ରାମଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।