Posted inଫୁରସତ

ଝୋଟ କାରିଗରି

ଓଡ଼ିଶାର ଯେଉଁସବୁ କଳାକାରିଗରି ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଛି ସେଥିରେ ଝୋଟର ରହିଛି ଏକ ସ୍ବତନ୍ତ୍ର ସ୍ଥାନ। ଝୋଟ ପାଇଁ ବିଶେଷକରି ଉପକୂଳ ଅଞ୍ଚଳର ବିଭିନ୍ନ ଜାଗାରେ ନଳିତା ଚାଷ କରାଯାଏ। ଯେଉଁଥିରୁ ଝୋଟ ସଂଗ୍ରହ କରାଯାଏ। ହସ୍ତଶିଳ୍ପ କାରିଗରମାନେ ଝୋଟରେ ନାନା ପ୍ରକାର କଳାକୃତି ତିଆରି କରିବା ସହିତ ଝୋଟ କାରିଗରୀକୁ ଦେଇଛନ୍ତି ଏକ ସ୍ବତନ୍ତ୍ର ପରିଚୟ…

ନଳିତା ଚାଷ- ସାଧାରଣତଃ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ଚାଷ ହୋଇଥାଏ। କାରଣ ଏହି ଅଞ୍ଚଳର ମୃତ୍ତିକା ଓ ଜଳବାୟୁ ନଳିତା ଚାଷ ପାଇଁ ବେଶ ଅନୁକୂଳ। ବିଶେଷକରି ସୁବର୍ଣ୍ଣରେଖା ନଦୀ ଅବବାହିକାରେ ଥିବା ବାଲିଆପାଳ ବ୍ଲକର କୁମ୍ଭାରୀ, ନିଖିବା, ଶ୍ରୀରାମପୁର, ଦେଭୋଗ, ଘଣ୍ଟୁଆ, ଅଣ୍ଡି, ବାଲିଆପାଳ, ବିଷ୍ଣୁପୁର, ମଧୁପୁରା, ଜାମକୁଣ୍ଡା ପ୍ରଭୃତି ପଞ୍ଚାୟତର ହଜାର ହଜାର ହେକ୍ଟର ଜମିରେ ନଳିତା ଚାଷ ହେଉଥିଲା। ଜିଲାରେ ସର୍ବବୃହତ୍‌ ଝୋଟ ଉତ୍ପାଦନକାରୀ ବ୍ଲକ ଥିଲା ବାଲିଆପାଳ। କୃଷି ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୫ ବର୍ଷରେ ବାଲିଆପାଳ ଅଞ୍ଚଳରେ ଝୋଟଚାଷ କମି କମି ଯାଉଛି। ୧୯୭୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ବ୍ଲକରେ ୧ ହଜାର ହେକ୍ଟରରୁ ଅଧିକ ଜମିରେ ନଳିତା ଚାଷ ହେଉଥିଲା। ୨୦୦୦ ପରଠାରୁ ଏହି ଚାଷ ସୀମିତ ହେବାରେ ଲାଗିଛି। ଏବେ ଏହା କମି କମି ଗତ ବର୍ଷ ୨୦୦ ହେକ୍ଟର ଜମିରେ ନଳିତା ଚାଷ ହୋଇଥିବା ବେଳେ ଚଳିତବର୍ଷ ମାତ୍ର ୧୬୦/୧୭୦ ହେକ୍ଟର ଜମିରେ ଚାଷ ହୋଇଥିବା କୃଷି ବିଭାଗ ସୂତ୍ରରୁ ଜଣାଯାଇଛି।

ଝୋଟ ଅମଳ ସମୟ ହୋଇଗଲେ ନଳିତା ଗଛ ମୂଳରୁ ସାଇଜିକରି ଚାଷୀ କାଟିଥାଏ। ଏହାକୁ ଦିନେ ଦୁଇଦିନ ଶୁଖିଲା ସ୍ଥାନରେ ରଖିଲାପରେ ବିଡ଼ାବାନ୍ଧି ବିଭିନ୍ନ ଜଳାଶୟରେ ବା ନଦୀରେ ନଳିତାକୁ ପଚାଇବା ପାଇଁ ପାଣିରେ ଭିଜାଇଥାନ୍ତି। ପ୍ରାୟ ୧୫ ଦିନ ପରେ ଏହାକୁ ପାଣିରୁ ବାହାର କରାଯାଇଥାଏ। ତା’ପରେ ଏହାର କାଠିକୁ ସେଥିରୁ ବାହାର କରାଯାଇଥାଏ। ଏଥିରୁ ବାହାରୁଥିବା ଗଛର ଛେଲି (ବକଳ)କୁ ଖରାରେ ଶୁଖାଯାଇଥାଏ। ଶୁଖିଗଲା ପରେ ଏହାର ନଁା ହୋଇଯାଏ ଝୋଟ। ବର୍ତ୍ତମାନ ବୈଜ୍ଞାନିକ ପ୍ରଣାଳୀରେ ଅର୍ଥାତ୍‌ ମେଶିନ୍‌ ଦ୍ୱାରା ମଧ୍ୟ ଝୋଟ ପ୍ରସ୍ତୁତ କରାଯାଇପାରୁଛି। କାରଖାନାରେ କ୍ରମାନ୍ବୟରେ ଝୋଟକୁ ବିଛେଇ ବିଭାଗ, ପ୍ରୋସେସିଂ, ଡ୍ରଇଂ, ସ୍ପିନିଂ ଓ ୱାଇନିଂ, ଟୁଇଷ୍ଟିଂ ଆଦି ବିଭାଗରେ ପ୍ରସ୍ତୁତ ହୁଏ। ଏହାପରେ ତନ୍ତ ବିଭାଗ ଓ ଫିନିଶିଂ ବିଭାଗରେ ବସ୍ତା ତିଆରି ହୋଇ ପ୍ୟାକିଂ ହୋଇଥାଏ। ବାଲିଆପାଳ, କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ସମେତ ବାହାର ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରୁ ଓଡ଼ିଶାରେ ଥିବା ଝୋଟକଳକୁ କଞ୍ଚାମାଲ୍‌ ଆମଦାନୀ ହୋଇଥାଏ।

ଝୋଟ କାରଖାନା -ବାଲେଶ୍ୱରର ରୂପ୍‌ସାସ୍ଥିତ ଜୟକିଶନ ଦାସ ଝୋଟ କାରଖାନା ଜିଲାର ସର୍ବପୁରାତନ ଶିଳ୍ପ ସଂସ୍ଥା। ୧୯୭୫ ମସିହା ମେ ମାସରେ ଏହି କାରଖାନା ପ୍ରତିଷ୍ଠା ଲାଭ କରିଥିଲା। ଇତିମଧ୍ୟରେ ୪୬ ବର୍ଷ ବିତିଗଲାଣି। କାରଖାନାର ଭିତ୍ତିଭୂମି ମଧ୍ୟ ସୁଦୃଢ଼ ହୋଇଗଲାଣି। ସେତେବେଳେ ୩୦୦ ଶ୍ରମିକଙ୍କୁ ନେଇ ଝୋଟରୁ କେବଳ ସୂତା, ସୁତୁଲି ପ୍ରସ୍ତୁତ ହେଉଥିଲା। ସୂତା, ସୁତୁଲି ସାଙ୍ଗକୁ ୨୦୦୮ ମସିହାରୁ ଝୋଟର ବସ୍ତା ମଧ୍ୟ ତିଆରି ହେଉଛି। ସେତେବେଳେ ମାସିକ ୩୦୦ ମେଟ୍ରିକ ଟନ୍‌ ଝୋଟ ସାମଗ୍ରୀ ଉପତ୍ାଦନ ହେଉଥିବା ବେଳେ ଏବେ ତାହା ୬୦୦ ମେଟ୍ରିକ ଟନ୍‌ରେ ପହଞ୍ଚତ୍ଛି। ସ୍ଥାନୀୟ ଅଞ୍ଚଳର ଆର୍ଥିକ ମାନଦଣ୍ଡ ବୃଦ୍ଧି ହେଉଥିବା ବେଳେ ୯୦୦ ଶ୍ରମିକ ପରିବାର ଏଥିରୁ ଗୁଜରାଣ ମେଣ୍ଟାଉଛନ୍ତି।

ବିକ୍ରି ବ୍ୟବସ୍ଥା- ନଳିତାଚାଷକୁ ଦୃଷ୍ଟିରେ ରଖି ପ୍ରାୟ ୮୦ ଦଶକରେ ତତ୍କାଳୀନ ବିଧାୟକ ୰ ଗଦାଧର ଗିରି ବାଲିଆପାଳରେ ସମବାୟ ଭିତ୍ତିରେ ଏକ ଝୋଟ ମିଲ୍‌ ସ୍ଥାପନ ପାଇଁ ଚିନ୍ତା କରିଥିଲେ। ତେବେ ବାଲିଆପାଳରେ ଉତ୍ପାଦିତ ହେଉଥିବା ପର୍ଯ୍ୟାପ୍ତ ପରିମାଣର ଝୋଟକୁ ଦେଖି ପ୍ରାୟ ୩୦ ବର୍ଷ ତଳେ କେନ୍ଦ୍ର ସରକାରଙ୍କ ଝୋଟ ନିଗମ ପକ୍ଷରୁ ଏଠାରେ ଏକ ଝୋଟ କ୍ରୟ କେନ୍ଦ୍ର ଖୋଲାଯାଇଥିଲା। ଏହି କେନ୍ଦ୍ର ଖୋଲାଯିବାର ୧୬/୧୭ ବର୍ଷ ପର୍ଯ୍ୟନ୍ତ, ନିଗମ ପ୍ରତିବର୍ଷ ଚାଷୀଙ୍କଠାରୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଝୋଟ କିଣୁଥିଲା। ଫଳରେ ଝୋଟ ଚାଷ ପ୍ରତି ଚାଷୀଙ୍କର ଆଗ୍ରହ ବୃଦ୍ଧି ପାଇବା ସହିତ ଚାଷୀମାନେ ମଧ୍ୟ ଝୋଟର ଉଚିତ୍‌ ମୂଲ୍ୟ ପାଉଥିଲେ। କିନ୍ତୁ ୨୦୦୭ରୁ ଏହି ନିଗମ ବନ୍ଦହେବା ସହିତ ୨ ବର୍ଷତଳୁ ଏଠାରୁ ସମ୍ପୂର୍ଣ୍ଣ ଉଠିଯାଇଛି। ଫଳରେ ଚାଷୀମାନେ ଉତ୍ପାଦନ କରୁଥିବା ଝୋଟକୁ ବହୁ କମ୍‌ଦାମ୍‌ରେ ବାହାର ରାଜ୍ୟର ଦଲାଲମାନଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏପରିକି ଝୋଟର ସରକାରୀ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦/ ୩୨୦୦ ଟଙ୍କା ରହିଥିବା ବେଳେ ମାତ୍ର ୨୦୦୦ରୁ ୨୨୦୦ ଟଙ୍କା ଭିତରେ ବିକ୍ରି କରୁଛନ୍ତି। ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ଦ୍ୱାରା ସମସ୍ତ ଝୋଟ ବସ୍ତା (ବୁରା) କ୍ରୟ ହୋଇଥାଏ। ଏହାଛଡ଼ା ସୂତା ଓ ସୁତୁଲି ସବୁକୁ ଟ୍ରକ୍‌ ଯୋଗେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ହରିୟାଣା ପ୍ରଭୃତି ରାଜ୍ୟକୁ ରପ୍ତାନି ହୁଏ। ଏ ସମ୍ପର୍କରେ ମଧୁପୁରା ପଞ୍ଚାୟତ ଚୌଧୁରୀକୁଦ ଗ୍ରାମର ଚାଷୀ ଶମ୍ଭୁନାଥ ସାହୁ କୁହନ୍ତି, ଝୋଟଚାଷ ବ୍ୟୟବହୁଳ। ଏହା ଏକର ପିଛା ୩୦ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା ବେଳେ ବିକ୍ରୟରୁ ୪୦/୪୨ ହଜାର ଟଙ୍କା ହେଉଛି। ଏବେ ଖର୍ଚ୍ଚ ତୁଳନାରେ ଲାଭ ବହୁତ କମ୍‌। ଚାଷୀଙ୍କୁ ସରକାରୀ ସହାୟତା ମିଳିବା ଉଚିତ। ସେହିପରି ଚାଷୀ ସୁଧାଂଶୁ ସାହୁ କୁହନ୍ତି, ଏହି ଚାଷ ପାଇଁ ପରିଶ୍ରମ ଅନୁସାରେ ଲାଭ କମ୍‌ ହେଉଛି। ସେଥିପାଇଁ ପୂର୍ବ ବର୍ଷ ଅପେକ୍ଷା ବର୍ତ୍ତମାନ ଚାଷ କମେଇ ଦେଇଛୁ। ବେପାରୀ ସତ୍ୟନାରାୟଣ ସାହୁ କୁହନ୍ତି, ଗଁାରେ ବୁଲି ଝୋଟ ସଂଗ୍ରହ କରି କଲିକତାରେ ନେଇ ବିକ୍ରି କରିବାକୁ ପଡୁଛି। ମିଲ୍‌ ମାଲିକମାନେ ଝୋଟର ଠିକ ଦାମ ଦେଉନଥିବାରୁ ଝୋଟ ବ୍ୟବସାୟରୁ ବେପାରୀମାନେ ମୁହଁ ଫେରାଇ ନେଲେଣି। ରୂପ୍‌ସା ଝୋଟ କାରଖାନାର ଜେନେରାଲ ମ୍ୟାନେଜର ହୃଷୀକେଶ ରାଉତ କୁହନ୍ତି, ଦେଶ ଓ ରାଜ୍ୟର ଆର୍ଥିକ ସ୍ଥିତି ଅଭିବୃଦ୍ଧି ଦିଗରେ ଏହି କାରଖାନାର ନିଶ୍ଚିତ ଭାବେ ଛୋଟ ଅବଦାନ ରହିଛି। ଏଥିସହ ଉଭୟ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର କାର୍ଯ୍ୟରତ ଶ୍ରମିକଙ୍କ ସମେତ ସ୍ଥାନୀୟ ବ୍ୟବସାୟୀଙ୍କ ଗୁଜରାଣ ମେଣ୍ଟି ପାରୁଛି। ଶ୍ରମିକ ସଂଘ ସଭାପତି ଆଇନଜୀବୀ ଶାନ୍ତନୁ କୁମାର ଦାସ କହନ୍ତି, ୪୬ ବର୍ଷ ଧରି ଏକ ସଂଘ ଜରିଆରେ କୁଶଳୀ, ଅଣକୁଶଳୀ ଶ୍ରମିକଙ୍କ ଦ୍ୱାରା ଝୋଟ ଉପତ୍ାଦନରେ ବୃଦ୍ଧି ଘଟିଛି। ଫଳରେ ଉଭୟ ଶ୍ରମିକ ଓ କର୍ତ୍ତୃପକ୍ଷଙ୍କ ଅର୍ଥନୈତିକ କ୍ଷେତ୍ରରେ ବିକାଶର ଧାରା ଅତୁଟ ରହିଛି।

କାଉଁରିଆ କାଠି-ନଳିତା କାଠି ଅର୍ଥାତ୍‌ କାଉଁରିଆ କାଠିକୁ ମଧ୍ୟ ଗ୍ରାମାଞ୍ଚଳରେ ପ୍ରମୁଖ ଜାଳେଣି ଭାବେ ବ୍ୟବହାର କରାଯାଏ। ଅନ୍ୟପକ୍ଷେ ଏହି କାଉଁରିଆ କାଠି ଶୁଖିଗଲେ ପୂରା ହାଲୁକା ରହିଥାଏ। ଏଥିରେ ଅଗ୍ନି ସଂଯୋଗ କରାଗଲେ ଶୀଘ୍ର ନିଆଁ ଧରେ। ବିଶେଷକରି କାର୍ତ୍ତିକ ମାସରେ ଦୀପାବଳି ସମୟରେ ବଡ଼ବଡ଼ୁଆ ଡାକବେଳେ ଏହି କାଉଁରିଆକାଠିକୁ ଅନେକ ବ୍ୟବହାର କରିଥା’ନ୍ତି। ଏଥିରେ ସଞ୍ଜ ସଳିତାକୁ ସଂଯୋଗ କରି ଅଗ୍ନି ସଂଯୋଗ କରାଯାଇଥାଏ। ଶ୍ରଦ୍ଧାଳୁମାନେ ବଡ଼ବଡ଼ୁଆ ଡାକରେ ଏହି କାଠିକୁ ଆଲୋକବର୍ତ୍ତିକା ଭାବେ ଜାଳିଥା’ନ୍ତି।

ନଳିତା ପତ୍ରର ଔଷଧୀୟ ଗୁଣ- ଡାକ୍ତର ବାସୁଦେବ ପ୍ରଧାନ କୁହନ୍ତି- ନଳିତା ଗଛ ଦୁଇ ପ୍ରକାରର (୧-ମଧୁର ଳଳିତା ଓ ୨-ତିକ୍ତ ନଳିତା)। ଏହାର ପତ୍ରକୁ ଔଷଧ ରୂପେ ବ୍ୟବହାର କରାଯାଏ। ମଧୁର ନଳିତା ବଳକାରକ,ଶରୀରରେ ଶୀତଳତା ଆଣେ। ଯେଉଁମାନେ ଉନ୍ମାଦ ରୋଗୀ, ପିତ ରୋଗୀ ଅଥାତ୍‌ ଶରୀରର ଜଳାପୋଡ଼ା ହୁଏ, ସେମାନେ ଏହି ପତ୍ରରସ ଖାଇଲେ ଉପଶମ ପାଆନ୍ତି। ମୁଣ୍ଡବ୍ୟାଥା ହେଉଥିଲେ କପାଳରେ ଲେପନ ଦେଲେ ବ୍ୟଥା ଦୂର ହୁଏ। ତିକ୍ତ ନଳିତା- ପିତା ନଳିତା- ସମସ୍ତ ପ୍ରକାରର ଚର୍ମ ରୋଗରେ ବ୍ୟବହାର କରାଯାଏ। ବିଶେଷକରି ଯାଦୁ ଏବଂ ସୋରିସିସରେ ତିକ୍ତ ନଳିତା ପତ୍ର ରସ ଓ ମଞ୍ଜୁଆତି ପତ୍ରରସକୁ ସମାନଭାଗରେ ବ୍ୟବହାର କରାଯାଇଥାଏ। ସକାଳେ ଓ ସନ୍ଧ୍ୟାରେ ଖାଲିପେଟରେ ଏହିପତ୍ର ରସ ବ୍ୟବହାରକଲେ ଉପଶମ ମିଳେ। ପିତା ନଳିତା ରସ ଓ ମଞ୍ଜୁଆତି ପତ୍ରରସକୁ ମିଶାଇ ଲେପଦେଲେ ଚର୍ମରୋଗ ଦୂରହେବା ସଙ୍ଗେସଙ୍ଗେ ଦାଗ ଲିଭିଯାଇଥାଏ। କିନ୍ତୁ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
ଝୋଟରୁ ରୋଜଗାର- ବାଲେଶ୍ୱର ଜିଲାର ମିଶନ ଶକ୍ତି ଦ୍ୱାରା ପରିଚାଳିତ ମହିଳା ଉପତ୍ାଦକ ଗୋଷ୍ଠୀମାନଙ୍କୁ ଝୋଟ ଶିଳ୍ପର ବିକାଶ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ରହିଛି। ବାହାନଗା ବ୍ଲକ ପଣପଣା ପଞ୍ଚାୟତର ମାଳଦାପଡ଼ା ଗାଁରେ ୭ଟି ଏସ୍‌ଏଚ୍‌ଜିର ୩୦ ସଦସ୍ୟାଙ୍କୁ ନେଇ ଇଶ୍ୱର ଉପତ୍ାଦକ ଗୋଷ୍ଠୀ ଝୋଟ ଶିଳ୍ପକୁ ନିଜର ଜୀବିକା ରୂପେ ଗ୍ରହଣ କରିନେଲେଣି। ଏହି ଉପତ୍ାଦକ ଗୋଷ୍ଠୀର ସଦସ୍ୟାମାନେ ୨୦୧୯ରୁ ଝୋଟ ଶିଳ୍ପ ସମ୍ପର୍କିତ ତାଲିମ ନେଇଛନ୍ତି।
ଝୋଟର ବିଭିନ୍ନ ସାମଗ୍ରୀ- ଝୋଟ ପରିବେଶ ଅନୁକୂଳ ହୋଇଥିବାରୁ ଝୋଟକୁ ବଛାଯାଇ ଏଥିରୁ ସୂତା, ସୁତୁଲି, କାର୍ପେଟ୍‌, ଅଖା ବେଗ, ରଶି ଓ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ପ୍ରସ୍ତୁତ କରାଯାଏ। ପାଆପୋଛ, ଡାଇନିଂ ସେଟ୍‌, ବିଭିନ୍ନ ପ୍ରକାର କଣ୍ଢେଇ, ୱାଲ୍‌ ହ୍ୟାଙ୍ଗିଙ୍ଗ୍‌, ବ୍ୟାଗ୍‌, ଫୋଲ୍ଡର, ପେନ୍‌ଷ୍ଟାଣ୍ଡ ଭଳି ବିଭିନ୍ନ ଆକର୍ଷଣୀୟ ରଙ୍ଗବେରଙ୍ଗର ଆସବାବପତ୍ର ମହିଳାଗୋଷ୍ଠୀ ପ୍ରସ୍ତୁତ କରୁଛନ୍ତି। ଯାହାକୁ ଓରମାସ, ମିଶନ ଶକ୍ତି ପର୍ବପର୍ବାଣି ମେଳାରେ ବିକ୍ରି କରୁଛନ୍ତି। ଏହି ଜିନିଷଗୁଡ଼ିକର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ କରି ୪୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏଥିରୁ ମହିଳାମାନେ ନିଜ ବଳକା ସମୟ ପ୍ରଦାନ କରି ମାସିକ ୨ହଜାରରୁ ୬ହଜାର ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ପାଇପାରୁଛନ୍ତି। ଓରମାସ ପକ୍ଷରୁ ସରକାର ଉକ୍ତ ଉପତ୍ାଦକ ଗୋଷ୍ଠୀକୁ ସିପି/ଆଇଭି ଫଣ୍ଡରୁ ପ୍ରଶିକ୍ଷଣ ଦେବା ସହ ଯାନ୍ତ୍ରିକ ସହାୟତା ଦେଇ ଦକ୍ଷ କାରିଗର ବନାଇଛନ୍ତି। ଏନ୍‌ଆର୍‌ଜିଏସ୍‌ରୁ ଓରମାସ୍ସ ମାଧ୍ୟମରେ ସାଢ଼େ ୧୨ଲକ୍ଷ ଟଙ୍କାର ଏକ ୱାର୍କଶେଡ (କାର୍ଯ୍ୟ କରିବା ପାଇଁ ଘର) ପ୍ରସ୍ତୁତ ପାଇଁ ପ୍ରଦାନ କରିଛନ୍ତି ବୋଲି ସଂଘର ସଭାପତି ଜୟନ୍ତୀ ବେହେରା ଓ ସମ୍ପାଦିକା କୁମୁଦିନୀ ପାକଳ ପ୍ରକାଶ କରିଛନ୍ତି। ବାଲେଶ୍ୱର ଜିଲା ଓରମାସର ସିଇଓ ଜିତେନ୍ଦ୍ର କୁମାର ବିଶ୍ୱାଳ କୁହନ୍ତି, ପରିବେଶ ଅନୁକୂଳ ଝୋଟ ଦ୍ୱାରା ପ୍ରସ୍ତୁତ ବ୍ୟାଗ୍‌, ଫୋଲ୍ଡର, ଅଫିସ ଷ୍ଟେସନାରି ସହ ଘରୋଇ ସୌନ୍ଦର୍ଯ୍ୟକରଣର ଆସବାବପତ୍ର ତିଆରି ଉପରେ ଗୁରୁତ୍ୱ ଦେଉଛନ୍ତି। ମିଶନ ଶକ୍ତି ଓ ଓରମାସର ବିଭିନ୍ନ ମେଳାରେ ଏହାର ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି। ଏହି ଝୋଟ ଶିଳ୍ପ ଉପରେ ଜିଲାର ୨ଟି ଉପତ୍ାଦକ ଗୋଷ୍ଠୀର ପାଖାପାଖି ୧୦୦ ମହିଳା କାରିଗର ଦକ୍ଷତା ହାସଲ କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏକ ସ୍ବତନ୍ତ୍ର ବ୍ୟାନର୍‌ ପ୍ରସ୍ତୁତ କରି ଏହାକୁ ଆନ୍ତର୍ଜାତିକ ସ୍ତରରେ ଜଣାଇବା ପାଇଁ ସ୍ବତନ୍ତ୍ର ଇ-ଫ୍ଲାଟଫର୍ମ ପ୍ରସ୍ତୁତ କରୁଥିବାର ଜଣାଇଛନ୍ତି। ତେବେ ପଲିଥିନ ଓ ପ୍ଲାଷ୍ଟିକ ନିଷେଧ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପ ଯୋଗୁ ଝୋଟ ସାମଗ୍ରୀର ଚାହିଦା ବଢ଼ିବାରେ ଲାଗିଛି। ମାତ୍ର ଝୋଟ ଉତ୍ପାଦନକାରୀ ବ୍ଲକ ବାଲିଆପାଳରେ ଏହି ଚାଷକୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏଥିପାଇଁ ସ୍ଥାୟୀବଜାର ସୁବିଧା ଯୋଗାଇଦେଲେ ବାଲିଆପାଳ ସମେତ ରାଜ୍ୟର ଅନ୍ୟ ଅଞ୍ଚଳରେ ଝୋଟଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢିପାରନ୍ତା। ଝୋଟରୁ ବିଭିନ୍ନ ପ୍ରକାରର ଘର ସାଜସଜା ଓ ଅଫିସ ସାମଗ୍ରୀ ତିଆରି ହୋଇଥାଏ। ପେନଷ୍ଟାଣ୍ଟ, ବ୍ୟାଗ, ଫୁଲଦାନୀ, ଅଫିସ ଫାଇଲଫୋଲ୍‌ଡର୍‌ ଇତ୍ୟାଦି । ଓରମାସ୍‌ର ମାର୍କେଟିଂ ଡିଭିଜନର ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ସୂଜୟ କର କୁହନ୍ତି, କେବଳ ସାମଗ୍ରୀ ପ୍ରସ୍ତୁତି କିମ୍ବା ସେସବୁର ମାର୍କେଟିଂ ବା ବିପଣନ ପାଇଁ ନୁହେଁ ବରଂ ଗ୍ରାହକଙ୍କ ପସନ୍ଦ ଏବଂ ବ୍ୟବହାର ଉପଯୋଗୀ ଉନ୍ନତମାନର ଜିନିଷ ତିଆରି ପାଇଁ ଉତ୍ପାଦକ ଗୋଷ୍ଠୀଗୁଡ଼ିକୁ ସହଯୋଗ ପ୍ରଦାନ କରିଆସୁଛି। ମହିଳାମାନଙ୍କୁ ଆତ୍ମ ନିର୍ଭରଶୀଳ ପାଇଁ ପ୍ରୋତ୍ସାହନ ଯୋଗାଉଛିି। ବାଲେଶ୍ୱର,ଯାଜପୁର, ପୁରୀ ସମେତ ଅନ୍ୟ କେତେକ ଜିଲାର ବିଭିନ୍ନ କ୍ଲଷ୍ଟରଗୁଡ଼ିକରୁ ଝୋଟ ସାମଗ୍ରୀ ପାଇଁ ଓରମାସରୁ ସହାୟତା ପ୍ରଦାନ କରାଯାଉଛି। ଜିଲାଠାରୁ ରାଜ୍ୟ ଓ ଜାତୀୟ ସ୍ତରର ମେଳା ଓ ପ୍ରଦର୍ଶନୀରେ ଝୋଟ ସାମଗ୍ରୀର ବିକ୍ରି ପାଇଁ ପ୍ରୋତ୍ସାହନ ଯୋଗାଇ ଆସୁଛି। ଅନ୍ୟପକ୍ଷେ ଝୋଟର ବିଭିନ୍ନ ସାମଗ୍ରୀ ପାଇଁ ଆମ ରାଜ୍ୟର ହସ୍ତଶିଳ୍ପୀ କାରିଗରମାନଙ୍କ ଭିନ୍ନ ପରିଚୟ ସୃଷ୍ଟି ହୋଇପାରିଛି।

– ବନବିହାରୀ ବେହେରା,
ମାନସ ବିଶ୍ୱାଳ, ବାଞ୍ଛାନିଧି ଦେ, ଗୋପାଳ ଚନ୍ଦ୍ର ସାହୁ

 


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri