ଝାରସୁଗୁଡା/ବ୍ରଜରାଜନଗର,୧୭।୨(ଆଶିଷ ରଞ୍ଜନ ଦାଶ /ବିଜୟ ବରାଡ଼ ): ଘରକୁ ଫେରୁଥିବା ବେଳେ ଅଧ ରାସ୍ତାରେ ପିଟି ହେଲା ବାଇକ୍ । ଫଳରେ ବିବାହ କରିବାକୁ ଥିବା ଯୁବତୀଙ୍କ ମୃତ୍ୟୁ ହୋଇଛି । ଆଉ କିଛି ଦିନ ପରେ ବିବାହ ହୋଇଥାନ୍ତା, ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ତା ପୂର୍ବରୁ ଯୁବତୀଙ୍କ ଜୀବନ ଚାଲିଗଲା । ସୋମବାର ସକାଳେ ବିବାହ ପାଇଁ ନିମନ୍ତ୍ରଣ କାର୍ଡ ଦେଇ ବାଇକ ଯୋଗେ ଫେରୁଥିବା ବେଳେ ଝାରସୁଗୁଡା ସଦର ବ୍ଳକ ସ୍ଥିତ ଘୁଷୁରାମୁଣ୍ଡା ଗ୍ରାମ ନିକଟରେ ବାଇକ ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଇଥିଲା । ଭୟଙ୍କର ଦୁର୍ଘଟଣାରେ ସୁନ୍ଦରଗଡ଼ ଜିଲାର ହିରାବତୀ ରୋହିଦାସଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଭାଇ ନିରଞ୍ଜନ ରୋହିଦାସଙ୍କୁ ଝାରସୁଗୁଡା ଜିଲା ଡାକ୍ତରଖାନାରୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲା ଭେଲୁଆଁମୁଣ୍ଡା ଗ୍ରାମର ତୁଳସୀ ରୋହିଦାସଙ୍କ ଝିଅ ହୀରାବତୀ ରୋହିଦାସଙ୍କ ବିବାହ ଆସନ୍ତା ମାର୍ଚ୍ଚ ୧ ତାରିଖ ଦିନ ଅନୁଷ୍ଠିତ ହେବାରଥିଲା। ଫଳରେ ହୀରାବତୀ ଏବଂ ତାଙ୍କ ଭାଇ ନିରଞ୍ଜନ ରୋହିଦାସ ସୋମବାର ଦିନ ଠାରୁ ଝାରସୁଗୁଡାର ବିଭିନ୍ନ ଅଂଚଳକୁ ନିମନ୍ତ୍ରଣ କାର୍ଡ ବାଣ୍ଟିବା ପାଇଁ ଆସିଥିଲେ । ମଙ୍ଗଳବାର ସକାଳୁ ଝାରସୁଗୁଡା ସଦର ବ୍ଳକ ଚନ୍ଦନୀମାଲ ଗ୍ରାମ ପଞ୍ଚାୟତର ଘୁଷୁରାମୁଣ୍ଡାରୁ ନିମନ୍ତ୍ରଣ କାର୍ଡ ଦେଇ ଫେରୁଥିବା ବେଳେ ବାଇକଟି ଭାରସାମ୍ୟ ହରାଇ ଏକ ଗଛରେ ଜୋରରେ ଧକ୍କା ହୋଇଥିଲା । ଫଳରେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡା ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତର ହୀରାବତୀଙ୍କୁ ମୃତ ଘୋଷଣା କରିଥିବା ବେଳେ ନିରଞ୍ଜନଙ୍କ ଅବସ୍ଥା ସଂକଟାପର୍ଣ ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

