ଉତ୍ପାତ କରୁଛି ଝାଡ଼ଖଣ୍ଡୀ ଦନ୍ତା

ମୋରଡା,୧୦ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାମ ଧରୁନାହିଁ। କେତେବେଳେ ଝାଡ଼ଖଣ୍ଡୀ ହାତୀପଲ ତ ପୁଣି କେତେବେଳେ ଶିମିଳିପାଳ ହାତୀ ପଶି ବ୍ୟାପକ ପରିମାଣର ଧାନ, ପରିବା ଏବଂ ଅନ୍ୟାନ୍ୟ ଫସଲ ନଷ୍ଟ କରୁଛନ୍ତି। ଲୋକଙ୍କ ଜୀବନ ହାନୀ ମଧ୍ୟ ଘଟାଉଛନ୍ତି। ହାତୀ ଉପଦ୍ରବ ଯୋଗୁ ଲୋକଙ୍କ ଆଖିରୁ ନିଦ ହଜିଯାଇଛି। ଶୁକ୍ରବାର ସକାଳେ ଏକ ଝାଡ଼ଖଣ୍ଡୀ ଦନ୍ତା ମୋରଡ଼ା ବ୍ଲକ ଅଞ୍ଚଳରେ ଉତ୍ପାତ ଚଳାଇଥିଲା। ଶିଳଦା ଗ୍ରାମରେ ପ୍ରବେଶ କରି ଚାଷୀଙ୍କ ପରିବା ଫସଲ ଦଳି ଚକଟି ଖାଇ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଥିଲା। ଦନ୍ତା ଭୟରେ ଚିତ୍ରଡ଼ା-ରାଜଘାଟ ମୁଖ୍ୟ ରାସ୍ତାରେ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ରାସଗୋବିନ୍ଦପୁର ରେଞ୍ଜ କର୍ମଚାରୀମାନେ ପହଞ୍ଚି ଦନ୍ତାଟିକୁ ଘଉଡ଼ାଇଥିଲେ।