ଗୁମଲା,୪।୧୧: ଝାଡ଼ଖଣ୍ଡର ଗୁମଲା ଜିଲାର ଏକ ଗାଁରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଜଣେ ଯୁବକ କୁରାଢ଼ୀରେ ଆକ୍ରମଣ କରି ନିଜର ଗର୍ଭବତୀ ନାବାଳିକା ପ୍ରେମିକାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ମଙ୍ଗଳବାର ଦିନ ଘଟିଥିବା ପୋଲିସ ସୂଚନା ଦେଇଛି। ରାଏଡିହ ଥାନା ଅଞ୍ଚଳର ପୁରୁଣା ରାଏଡିହ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି।
୧୯ ବର୍ଷୀୟ ସୁମନ ଯାଦବ ୧୭ ବର୍ଷୀୟା ଅଂଶିକା ତିର୍କୀଙ୍କୁ ହତ୍ୟା କରିଛନ୍ତି। ପୋଲିସ୍ ଅନୁଯାୟୀ ଅଂଶିକା ପ୍ରାୟ ପାଞ୍ଚ ମାସର ଗର୍ଭବତୀ ଥିଲେ। ମୃତ ନାବାଳିକା ଜଣକ ଛତିଶଗଡ଼ର ଧର୍ମଜୟଗଡ଼ର ଶାନ୍ତି ନଗରର ବାସିନ୍ଦା ଥିଲେ ଏବଂ ଗତ ପ୍ରାୟ ଏକ ସପ୍ତାହ ଧରି ସୁମନଙ୍କ ଘରେ ରହୁଥିଲେ।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ମଙ୍ଗଳବାର ସକାଳେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। କ୍ରୋଧର ବଶବର୍ତ୍ତୀ ହୋଇ ସୁମନ ଏକ କୁରାଢ଼ୀ ଉଠାଇ ଅଂଶିକାଙ୍କୁ ଆକ୍ରମଣ କରିଥିଲେ, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସୁମନ ହତ୍ୟା ପରେ ଫେରାର ହେବାକୁ କିମ୍ବା ଅପରାଧ ଲୁଚାଇବାକୁ ଚେଷ୍ଟା କରିନଥିଲେ। ବରଂ ସେ ପୋଲିସ୍ ପହଞ୍ଚିବା ପର୍ଯ୍ୟନ୍ତ ଘର ଭିତରେ ଅପେକ୍ଷା କରିଥିଲେ।
ରାଏଡିହ ଥାନା ଅଧିକାରୀ ସନ୍ଦୀପ କୁମାର ଯାଦବ ଘଟଣାସ୍ଥଳରେ ପହଞ୍ଚି ସୁମନ ଯାଦବଙ୍କୁ ଗିରଫ କରିଛନ୍ତି। ପୋଲିସ ଆଗରେ ଯୁବକ ଜଣକ ହତ୍ୟାକାଣ୍ଡ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ନାବାଳିକାଙ୍କୁ ଘରକୁ ଆଣିବା ଏବଂ ତାଙ୍କ ଗର୍ଭବତୀ ହେବା କାରଣରୁ ପରିବାରରେ ଅପମାନ ହେବାର ଭୟ ତାଙ୍କୁ ବିବ୍ରତ କରିଥିଲା।
ଅଭିଯୁକ୍ତଙ୍କ ମା’ ପୋଲିସକୁ କହିଛନ୍ତି ଯେ ତାଙ୍କ ପୁଅ କିଛି ଦିନ ହେବ ମାନସିକ ଚାପରେ ଥିଲେ ଓ ଠିକ୍ ଭାବେ ଶୋଇପାରୁ ନଥିଲେ। ଗ୍ରାମବାସୀଙ୍କ କହିବାନୁଯାୟୀ, ଝିଅର ଗର୍ଭଧାରଣ ଯୋଗୁଁ ପରିବାର ଏବଂ ସାମାଜିକ ଚାପ ସୁମନଙ୍କ ଉପରେ ବହୁତ ପଡ଼ିଥିଲା।
ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ଗୁମଲା ସଦର ଡାକ୍ତରଖାନାକୁ ପଠାଇଛି। ରାଏଡିହ ଥାନା ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ବିସ୍ତୃତ ଜେରା କରାଯାଉଛି ଏବଂ ବ୍ୟବଚ୍ଛେଦ ରିପୋର୍ଟ ଏବଂ ତଦନ୍ତରୁ ମିଳିଥିବା ତଥ୍ୟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ପରେ ଗାଁରେ ଶୋକ ଓ ଆତଙ୍କର ବାତାବରଣ ଖେଳିଯାଇଛି।


