Categories: ଜାତୀୟ

ରାଞ୍ଚି ପହଞ୍ଚିଲେ ରାଜ୍ୟପାଳ ରମେଶ ବୈସ, ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ସଦସ୍ୟତାକୁ ନେଇ ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ନିଷ୍ପତ୍ତି

ରାଞ୍ଚି,୯ ।୯: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ଶେଷ ହେବା ଆଶଙ୍କା ମଧ୍ୟରେ ଝାଡ଼ଖଣ୍ଡରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ସମୟରେ ରାଜ୍ୟପାଳ ରମେଶ ବୈସ ଝାଡ଼ଖଣ୍ଡ ଫେରିଛନ୍ତି । ଦୀର୍ଘ ପ୍ରାୟ ଏକ ସପ୍ତାହର ଦିଲ୍ଲୀ ଯାତ୍ରା ପରେ ସେ ଝାଡ଼ଖଣ୍ଡ ଫେରିଛନ୍ତି । ସେପ୍ଟେମ୍ବର ୧ରେ ଦିଲ୍ଲୀ ଯିବାର ଗୋଟିଏ ଦିନ ପୂର୍ବରୁ ଶାସକ ଦଳର ବିଧାୟକମାନଙ୍କୁ ଆଶ୍ୱସନା ଦେଇ ରାଜ୍ୟପାଳ କହିଥିଲେ ବିଧାନସଭା ସଦସ୍ୟତା ରଦ୍ଦକୁ ନେଇ ସୋରେନଙ୍କ ପକ୍ଷରୁ ହୋଇଥିବା ନିବେଦନ ଉପରେ ସେମାନେ ଭାରତର ନିର୍ବାଚନ କମିଶନଙ୍କ ସୁପାରିଶ ଅନୁଯାୟୀ ସବୁକିଛି ସ୍ପଷ୍ଟ କରିବେ ।
ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଧିକାରୀଙ୍କ ସୂଚନା ଅନୁଯାୟୀ ରାଜ୍ୟପାଳ ରାଞ୍ଚି ଫେରି ଆସିଛନ୍ତି । ଏବେ ପର୍ଯ୍ୟନ୍ତ ସେ କୌଣସି ନିର୍ଦ୍ଦେଶ ଜାରି କରି ନାହାନ୍ତି । ନିର୍ବାଚନ କମିଶନ ୨୫ ଅଗଷ୍ଟରେ ତାଙ୍କର ନିଷ୍ପତ୍ତି ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଥିଲେ । ଆଉ ଏହାପରେ ରାଜ୍ୟରେ ରାଜନୌତିକ ସଙ୍କଟ ଦେଖା ଦେଇଥିଲା । ହେଲେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା ହୋଇନାହିଁ । ଅନୁମାନ କରାଯାଉଛିକି କମିଶନ ମୁଖ୍ୟମନ୍ତ୍ରୀଙ୍କୁ ଜଣେ ବିଧାୟକ ଭାବେ ଅଯୋଗ୍ୟ ଘୋଷଣା କରିବାକୁ ସୁପାରିଶ କରିବେ ।

Share