ବିଶ୍ୱାସ,ପରମ୍ପରାର ଯାତ୍ରା ଝାମିଯାତ୍ରା

ଜୟପୁର, ୨୮ା୨ (ନି.ପ୍ର.):ବିଶ୍ୱାସର ଯାତ୍ରା ଝାମିଯାତ୍ରା ପାଇଁ ଜୟପୁର ଉତ୍ସବମୁଖର ହୋଇପଡିଛି। ଶିରଲୀ ଦେବୀ ପୂଜା ପାଉଥିବା ଏହି ଯାତ୍ରା ଶିବରାତ୍ରିଠାରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି ା ଶିବରାତ୍ରି ଦିନ ଶିବ ମନ୍ଦିରରେ ଏକ ପୂଜା କରାଯାଇଥାଏ ା ପରେ ଝାମି ଦେବୀଙ୍କ ଆଜ୍ଞାମାଳ ଅଣାଯାଇ ଜଣେ ବାଳକଙ୍କୁ ହଳଦୀ ଲଗାଇ ସାଜସଜ୍ଜାରେ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥାଏ ା ଏହି ଶୋଭାଯାତ୍ରା ୭ଦିନ ଧରି ସକାଳ ୮ଟାରୁ ଅପରାହ୍ନ ଗୋଟାଏ ଯାଏ ଚାଲେ। ବସନ୍ତଋତୁ ସରିବା ପରେ ବସନ୍ତ, ହାଡଫୁଟି, ମିଳିମିଳା, କାଛୁ, କୁଣ୍ଡିଆ ଭଳି ମାରାତ୍ମକ ରୋଗରୁ ମିକ୍ତି ପାଇବା ପାଇଁ ରାଜରାଜୁଡା ଅମଳରୁ ଜୟପୁରରେ ପାଳିତ ହୋଇଆସୁଛି ଏହି ଝାମିଯାତ୍ରା। ଶିବରାତ୍ରି ପରେ ଫାଲଗୁନ ମାସ ଶୁକ୍ଳପକ୍ଷ ନବମୀ ତିଥି ଅନୁଯାୟୀ ରବିବାର ଝାମି ଦେବୀଙ୍କୁ ସ୍ଥାନୀୟ ବାଙ୍କମଠଠାରେ ଏକ ଅସ୍ଥାୟୀ ମଣ୍ଡପରେ ପୂଜା କରାଯାଇଛି ା ପରମ୍ପରା ଅନୁଯାୟୀ ଯାତ୍ରାରେ ବ୍ୟବସାୟୀମାନେ ଚଣା, ସାକରା, ମୁଢି ବିକ୍ରି କରିଥାନ୍ତି ା ଶିବରାତ୍ରିରେ ମହାଦେବଙ୍କ ଦର୍ଶନ କରିବା ପରେ ସ୍ଥାନୀୟ ପୂଜକ ପରିବାର ବାଜା ଓ ଫୁଲ ଚାଙ୍ଗୁଡି ଧରି ସହରର ସାହି ସାହି ଘରେ ହଳଦୀ ଓ ନିମ୍ବପତ୍ର ବାଣ୍ଟିଥାନ୍ତି ା ଏହାକୁ ମୁଣ୍ଡରେ ଟିକା ଭାବେ ଲୋକେ ଲଗାଇଥାନ୍ତି ା ଫଳରେ ଚର୍ମରୋଗ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି। ପ୍ରତିବଦଳରେ ସେମାନେ ଚାଉଳ, ପନିପରିବା ଓ କିଛି ଟଙ୍କା ସେହି ଚାଙ୍ଗୁଡିରେ ଦେଇଥାନ୍ତି। ଶୁକ୍ଳପକ୍ଷ ନବମୀରେ ଝାମିଦେବୀଙ୍କୁ ଗୋପବନ୍ଧୁ ନଗରସ୍ଥିତ ପୂଜକଙ୍କ ଘରୁ ଢାମ୍ପ ବାଜା ବଜାଇ ଅଣାଯାଇ ନିର୍ମିତ ଅସ୍ଥାୟୀ ମଣ୍ଡପରେ ପୂଜାର୍ଚ୍ଚନା କରାଯାଏ ା ମାନସିକ ରଖି ଭକ୍ତମାନେ ଫୁଲ ଝାଡୁ, କୁକୁଡା ଅଣ୍ଡା, ନଡିଆ, କଦଳୀ, ଫୁଲ ଦେବୀଙ୍କୁ ସମର୍ପଣ କରିଥାନ୍ତି ା ୧୦ ଦିନ ଧରି ଚାଲୁଥିବା ଏହି ଯାତ୍ରା ରାଜରାଜୁଡା ଅମଳରୁ ଚଳିଆସୁଛି। ଯାତ୍ରା ଦେଖିବାକୁ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲାରୁ ଶ୍ରଦ୍ଧାଳୁମାନେ ଅସିଥାନ୍ତି। ପ୍ରବଳ ଜନସମାଗମ ହୋଇଥାଏ। ବିଶେଷକରି ତେଲୁଗୁ ସମ୍ପ୍ରଦାୟର ଲୋକଙ୍କ ବେଶି ଭିଡ଼ ଦେଖିବାକୁ ମିଳିଥାଏ। ଯାତ୍ରାର ଶେଷ ଦିନରେ ରାତି ୧୨ଟାରେ ପରମ୍ପରା ଅନୁଯାୟୀ ଲାଲ ଘରକୁ ଯାଇ ଝାମି ଦେବୀ ମୂଳପୀଠକୁ ଫେରିଥାନ୍ତି। ପରେ ୧୦ ଦିନର ଯାତ୍ରା ଶେଷ ହୋଇଥାଏ।