ବିପଦ ସଙ୍କେତ ଉପରେ ଜଳକା

ରୂପସା/ବସ୍ତା, ୯।୯(ଡି.ଏନ.ଏ.): ବାଲେଶ୍ୱର ଜିଲାରେ ଲଗାଣ ବର୍ଷା ଯୋଗୁ ଜଳକା ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ବସ୍ତା ବ୍ଲକ ଅଧୀନ ମଥାନୀଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ଅପରାହ୍ନ ୩ଟାରେ ଜଳସ୍ତର ବୃଦ୍ଧି ହୋଇ ୫.୮୮ ମିଟର ଓ ସନ୍ଧ୍ୟା ୬ଟା ସୁଦ୍ଧା ୫.୮୯ ମିଟରରେ ପ୍ରବାହିତ ହେଉଥିବା ଜଳସେଚନ ବିଭାଗ କନିଷ୍ଠଯନ୍ତ୍ରୀ ଅଶୋକ କୁମାର ଦାସ ପ୍ରକାଶ କରିଛନ୍ତି। ନଦୀର ଉପରମୁଣ୍ଡ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ଲାଗି ରହିଥିବା ଯୋଗୁ ବନ୍ୟା ଆଶଙ୍କା ଦେଖାଦେଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ନଦୀକୂଳିଆ ଗ୍ରାମବାସୀ ସମେତ ଚାଷୀକୁଳ ଚିନ୍ତାରେ ରହିଛନ୍ତି। ବନ୍ୟା ଯୋଗୁ ଏହି ବ୍ଲକର ମଥାନୀ, ବାହାର୍ଦ୍ଦା, ଦୁଧହଂସା, ସଦାନନ୍ଦପୁର, ବରୁଣଗଡ଼ିଆ, ବାସିଚକୁରି, ଦରଡ଼ା, ଗଡ଼ପଦା, ରାଉତପଡା ପଞ୍ଚାୟତ ସମେତ ସଦର ବ୍ଲକର ଶ୍ରୀରାମପୁର, ରସଲପୁର ଆଦି ପଞ୍ଚାୟତରେ ଚାଷ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାବ୍ୟତୀତ ଜଳକା ନଦୀ ପାଖ ତଳତାପଣ୍ଡା, ମେଳକ, ପେଗରପଡ଼ା, ଲକ୍ଷ୍ମଣାପଡ଼ା, ସାନଖୁଡ଼ି, ଶିବଗଡ଼ିଆ, ବଡ଼ଖୁଡ଼ି, ଧଳସାହି ଆଦି ଗ୍ରାମରେ ଦୁଇ ପାଶର୍‌ବ ନଦୀବନ୍ଧର ଅଧିକାଂଶ ସ୍ଥାନ ଦୁର୍ବଳ ହୋଇଥିବାରୁ ଧନଜୀବନ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।